ମୋରୋକୋରେ ହୋଇଥିବା ଭୂମିକମ୍ପରେ ବଢୁଛି ମୃତକଙ୍କ ସଂଖ୍ୟା

ବ୍ୟୁରୋ: ମୋରୋକୋରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨,୧୨୨କୁ ବୃଦ୍ଧି ପାଇଛି । ଏଥିସହ ୨,୦୫୯ ଜଣ ଆହତ ହୋଇଛନ୍ତି । ସେଥିମଧ୍ୟରୁ ୧,୪୦୪ ଲୋକଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି । ତେବେ ଭୂମିକମ୍ପ ଯୋଗୁ କୌଣସି ଭାରତୀୟଙ୍କ କ୍ଷତି ହେବାର ଖବର ନାହିଁ । ସମସ୍ତ ଭାରତୀୟଙ୍କୁ ଘରେ ଏବଂ ନିରାପଦ ସ୍ଥାନରେ ରହିବାକୁ ଏବଂ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବାକୁ କୁହାଯାଇଛି । ତେବେ ମୋରୋକୋର ଜନ ସଂଖ୍ୟା ୩କୋଟି ୭୧ଲକ୍ଷ ହୋଇ ଥିବା ବେଳେ ମୋରୋକୋରେ ୧,୫୦୦ ଭାରତୀୟ ବାସ କରୁଛନ୍ତି । ଭୂମିକମ୍ପ ପରେ ମୋରୋକୋରେ ରହୁଥିବା ଭାରତୀୟଙ୍କ ପାଇଁ ଭାରତୀୟ ଦୂତାବାସ ଏକ ପରାମର୍ଶଦାତା ଜାରି କରିଛି । ଏକ ହେଲ୍ପଲାଇନ ନମ୍ବର ଜାରି କରି ଦୂତାବାସ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି ।
ଶୁକ୍ରବାର ବିଳମ୍ବିତ ରାତିରେ ମରକ୍କୋର ଐତିହାସିକ ମାରାକେଶ ସହରରେ ହୋଇଥିଲା ଭୟଙ୍କର ଭୂମିକମ୍ପ । କେନ୍ଦ୍ରସ୍ଥଳ ଥିଲା ମାରାକେସ ଠାରୁ ୭୨ କିଲୋମିଟର ଦକ୍ଷିଣ ପଶ୍ଚିମରେ ଆଟଲାସ ପର୍ବତ। ତେବେ ଏହାର ତୀବ୍ରତା ୬.୮ ଥିବା ବେଳେ ମୃତ୍ୟୁର ସହର ପାଲଟିଛି ମରକ୍କୋର ମାରାକେଶ । ଏବେ ବି ଅନେକ ଲୋକ ଧ୍ୱଂସାବଶେଷ ତଳେ ରହିଥିବା ଆଶଙ୍କା କରାଯାଉଛି। ମୃତ୍ୟୁସଂଖ୍ୟା ମଧ୍ୟ ବଢିବା ଆଶଙ୍କା ରହିଛି। ଭୂମିକମ୍ପରେ ମାରାକେଶ ସହର ଆଖପାଖର ଗାଁ ସମ୍ପୂର୍ଣ୍ଣ ଧ୍ୱଂସସ୍ତୁପରେ ପରିଣତ ହୋଇ ସାରିଛି। ଏବେ ବି ସେଠାରେ ବାରମ୍ବାର ଅନୁଭୂତ ହେଉଛି ଭୂକମ୍ପର ଝଟକା। ଭୂମିକମ୍ପର କରାଳ ପ୍ରଭାବରୁ ବର୍ତ୍ତି ଯାଇଥିବା ଲୋକେ ଏବେ ବି ପଡି ରହିଛନ୍ତି ଖୋଲା ଆକାଶ ତଳେ। ହଜାର ହଜାର ପର୍ୟ୍ୟଟକ ବିମାନ ବନ୍ଦରରେ ବିତାଉଛନ୍ତି ରାତି। ସେନା ଓ ଜରୁରୀକାଳୀନ କର୍ମଚାରୀମାନେ ଏପର୍ୟ୍ୟନ୍ତ ଉଦ୍ଧାର କାର୍ୟ୍ୟ ଜାରି ରଖିଥିବା ବେଳେ ସାରା ବିଶ୍ୱରୁ ଲମ୍ବି ଆସିଛି ସହାୟତାର ହାତ।