ଏପ୍ରିଲ ୧୮ରେ ସମଲିଙ୍ଗୀ ବିବାହ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ଏପ୍ରିଲ ୧୮ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣିହେବ । ଏହି ମାମଲା ସାଧାରଣ ଲୋକଙ୍କ ସହ ଜଡିତ ଓ ଗୁରୁତ୍ୱପୂର୍ଣ୍ଣ ବୋଲି ଏହାକୁ ଲାଇଭ ଷ୍ଟ୍ରିମିଂ କରିବାକୁ ଦାବି କରିଛନ୍ତି ଆବେଦନକାରୀ । ସେମାନେ କହିଛନ୍ତି କି କଣ ଶୁଣାଣି ହେଉଛି ପୂରା ଦେଶ ଜାଣିବା ଦରକାର । ପୂର୍ବରୁ ସୋମବାର ଆବେଦନ ଉପରେ ଶୁଣାଣି ହୋଇଥିଲା । ଏହାଦ୍ୱାରା ଆବେଦନକାରୀ କେନ୍ଦ୍ର ସରକାରଙ୍କ ସତ୍ୟପାଠ ଉପରେ ଜବାବ ଦେବାକୁ ସମୟ ମାଗିଥିଲେ । ଶୁଣାଣି ସମୟରେ ଚିଫ ଜଷ୍ଟିସ ପଚାରିଥିଲେ ଏହି ମାମଲାରେ କେନ୍ଦ୍ର ସରକାର କଣ କହିବେ । ଆବେଦନକୁ ବିରୋଧ କରି କେନ୍ଦ୍ର ତରଫରୁ ସିଲିସେଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ କହିଥିଲେ, ଏହା ସାମାଜିକ ନୈତିକତା ଓ ଭାରତୀୟ ଲୋକାଚାରର ଅନୁରୂପ ନୁହେଁ । ସମଲିଙ୍ଗୀ ବିବାହ ଭାରତୀୟ ବିବାହ ଓ ପରିବାର ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି ମୋଦୀ ସରକାର । ସମଲିଙ୍ଗୀ ବିବାହକୁ ଭାରତୀୟ ବିବାହ ପରମ୍ପରା ସହିତ ତୁଳନା କରାଯାଇପାରିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସରକାର । ବିବାହ କହିଲେ ଦୁଇ ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ମଧ୍ୟରେ ମିଳନ ଅପରିହାର୍ୟ୍ୟ ବୋଲି ବୁଝାଯାଏ । ଏହି ସଂଜ୍ଞା ସାମାଜିକ, ସାଂସ୍କୃତିକ ଓ ଆଇନଗତ ଭାବେ ବିବାହର ଅବଧାରଣା ହୋଇ ରହିଆସିଛି । ଏହାକୁ ନ୍ୟାୟିକ ବ୍ୟାଖ୍ୟା ଦ୍ୱାରା ବଦଳାଇବା ଉଚିତ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ସରକାର ।