ଦେଶରେ ପ୍ରଥମେ ପେଗାସସ୍ ମାମଲାର ତଦନ୍ତ କରିବେ ମମତା ସରକାର

କୋଲକତା : ଆମେନେଷ୍ଟି ଇଣ୍ଟରନ୍ୟାସନାଲ ପେଗାସସ ଦୁର୍ନୀତିର ଖୁଲାସା କରିବା ପରେ ଦେଶରେ ବିରୋଧ ସ୍ୱର ଉଠିବା ସହ ତଦନ୍ତ ଦାବି ପାଇଁ ଜୋର ଧରିଛି । ପ୍ରଥମ ଥର ପାଇଁ ପେଗାସସ୍ ମାମଲାର ତଦନ୍ତ ଆରମ୍ଭ କରିବ ମମତା ସରକାର । ପେଗାସସ୍ ମାମଲା ସାମ୍ନା ଆସିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସଠିକ ଉତ୍ତର ମିଳି ପାରି ନାହିଁ । ଦେଶରେ ପ୍ରତିଷ୍ଠିତ ସାମ୍ବାଦିକ, ରାଜନୈତିକ ବ୍ୟକ୍ତି ମାନଙ୍କ ମୋବାଇଲ ହ୍ୟାକ୍ କରାଯାଇଥିଲା । ପେଗାସସ୍ କମ୍ପାନୀ ନିଜର ସପ୍ଟଓ୍ବାର ଭାରତ ସରକାରଙ୍କୁ ବିକ୍ରି କରିଥିବା ବେେଳେ ସରକାର ଏହି ସପ୍ଟେଓ୍ବାର କିଣିନଥିବା କହିଛନ୍ତି ।

ଏବେ ପଶ୍ଚିମବଙ୍ଗ ସରକାର ଏହାର ଯାଞ୍ଚ କରିବାକୁ ବାହାରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ଏକ ଆୟୋଗ ଗଠନ କରାଯାଇଛି । ଏହି ଆୟୋଗରେ ୨ ଜଣ ଅବସରପ୍ରାପ୍ତ ବିଚାରପତି ଥିବା ବେଳେ ଏମାନେ ପଶ୍ଚିମବଙ୍ଗରେ ଫୋନ୍ ହ୍ୟାକିଂ, ଟ୍ରାକିଂ ଓ ରେକଡିଂ ଅଭିଯୋଗର ଯାଞ୍ଚ କରିବେ । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା ପୂର୍ବରୁ ପ୍ରଥମ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି । ମମତା କହିଛନ୍ତି ଆମେ ଚାହୁଁଥିଲୁ ପେଗାସସ ମାମଲାରେ କେନ୍ଦ୍ର ସରକାର ଆୟୋଗ ଗଠନ କରନ୍ତୁ ହେଲେ କେନ୍ଦ୍ର ସରକାର କିଛି କଲେ ନାହିଁ ।