ବାଦ୍ ପଡିବେ ହାରୁନେତା ଓ ଜିଲ୍ଲା ସଭାପତି !

ରାଜ୍ୟ ସଭାପତି ଚୟନ ପରେ, ଏବେ ରାଜ୍ୟ ବିଜେପି ତା‘ର ବିଭିନ୍ନ ସରକାରୀ ନିଗମ, ସଂସ୍ଥା ଆଦିରେ ନିଯୁକ୍ତି ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଆଉ ଏହାରି ଭିତରେ ଏମିତି ଏକ ଖବର ଶୁଣିବାକୁ ମିଳୁଛି, ଯାହା ବିଧାନସଭା ନିର୍ବାଚନରେ ହାରିଥିବା ନେତା ଓ ଜିଲ୍ଲା ସଭାପତି ମାନଙ୍କର ଚିନ୍ତା ବଢାଇ ଦେଇଛି । କାରଣ ଏହି ନିଯୁକ୍ତିରେ, ହାରୁନେତା ଓ ଜିଲ୍ଲା ସଭାପତିମାନଙ୍କୁ ବାଦ୍ ଦିଆଯିବ ବୋଲି ଶୁଣିବାକୁ ମିଳୁଛି । ଆଉ ହେଡ କ୍ୱାର୍ଟରରେ କାମ କରୁଥିବା କିଛି କର୍ମକର୍ତ୍ତାଙ୍କୁ ଦାୟିତ୍ୱ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଯାହାପରେ ଏବେ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ନେତାଙ୍କ ଦୌଡ ଆରମ୍ଭ ହୋଇଛି ।

ରାଜ୍ୟରେ ବିଜେପି ସରକାରକୁ ୧୪ ମାସ ପୁରିଥିବା ବେଳେ, ବର୍ତ୍ତମାନ ସୁଦ୍ଧା ସରକାରୀ ନିଗମ, ବିଭିନ୍ନ ସରକାରୀ ସଂସ୍ଥା ଓ ରାଜ୍ୟ ଯୋଜନା ବୋର୍ଡ ଆଦି ଖାଲି ପଡିଛି । ଯେଉଁଥିରେ ନିଯୁକ୍ତି ପାଇବା ପାଇଁ ଚାତକ ପରି ଚାହିଁ ରହିଛନ୍ତି, କିଛି ହାରୁନେତାଙ୍କ ସହ କିଛି ଜିଲ୍ଲାର ସଭାପତିମାନେ । ଆଉ ଏହାର ଆଭାସ ପାଇବା ପରେ ଆଶାୟୀମାନେ ମଧ୍ୟ ସେମାନଙ୍କ ଲବି ଆରମ୍ଭ କରି ଦେଇଛନ୍ତି । ଆଉ ଏବେ ଏଭଳି କିଛି ଶୁଣିବାକୁ ମିଳୁଥିବା ବେଳେ, ସେମାନଙ୍କ ଆଶା ସତେ ଯେମିତି ଫସର ଫାଟି ଯାଇଛି ।  କାରଣ ଦଳର ଶୀର୍ଷ ନେତୃତ୍ୱଙ୍କ ମତରେ, ଏମାନେ ଯଦି କ୍ଷମତାରେ ରହିବେ । ତେବେ ଏମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ସମୟ ଦେଇ ପାରିବେ ନାହିଁ । ଆଉ ଚଉକି ପାଇଗଲା ପରେ କିଛି ନେତା ଇଲାକା ମଧ୍ୟ ଛାଡି ଦେବାର ଆଶଙ୍ଖା କରାଯାଉଛି ।

ଏପଟେ ପଞ୍ଚାୟତ ଓ ପୌର ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ବିଜେପି ଏଭଳି ନିଷ୍ପତ୍ତି ନେଇଥିବା ଶୁଣା ଯାଉଛି । ହେଲେ ଅନ୍ୟପଟେ ହାରିଥିବା ବିଧାୟକ ପ୍ରାର୍ଥୀ କିନ୍ତୁ, ଥଇଥାନ୍ ପାଇଁ ଜୋରଦାର କସରତ ଆରମ୍ଭ କରିଛନ୍ତି । ଆଉ ଅଞ୍ଚଳରେ  ପତିଆରା ଜାହିର କରିବାକୁ ପଦ ପଦବୀରେ ବସିବାକୁ ଲାଗି ପଡିଛନ୍ତି । କିନ୍ତୁ ଦଳର ନୂଆ ଫର୍ମୁଲା ତାଙ୍କୁ ହାମ୍ପର କରିଛି । ଅନ୍ୟପଟେ ଦଳ ଅଫିସ ସମ୍ଭାଳିଥିବା ନେତାମାନଙ୍କୁ ଥଇଥାନ କରିବା ମତକୁ ଅନେକ ନେତା ସ୍ୱାଗତ ବି କରିଛନ୍ତି । କାରଣ ଏମିତିରେ ବି, ଏମାନେ ଅନେକ ଦିନରୁ ଦଳର ମଙ୍ଗ ଧରିବା ସହ ସରକାରୀ କଳକୁ ମୁକାବିଲା କରି ଆସିଛନ୍ତି । ଏବଂ ସରକାରୀ କଳର ଚାପକୁ ଖାତିର ନକରି ଏମାନେ ଦଳ ପାଇଁ ସବୁବେଳେ ଆଗକୁ ଆସିଛନ୍ତି ।