ନୂଆଦିଲ୍ଲୀ: ମୁହଁତୋଡ ଜବାବ ଦେଲେ ଯବାନ । କାଶ୍ମୀରୀ ପଣ୍ଡିତଙ୍କ ହତ୍ୟାର ଜବାବ ଦେଇଛି ଭାରତୀୟ ସେନା । ପୋଲିସ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣ ଥିଲେ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିଲେ। ବାନ୍ଦିପୋରାର ବ୍ରାର ଆରାଗମ ଅଞ୍ଚଳରେ ନିରାପତ୍ତା ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ଆତଙ୍କବାଦୀମାନେ ରାହୁଲଙ୍କୁ ହତ୍ୟା କରିବା ପରେ ନିରାପତ୍ତା ଯବାନ ମାନେ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ ।
ସୂଚନା ଅନୁଯାଇ, ବୁଦଗାଓଁର ରାଜସ୍ବ ବିଭାଗ କାର୍ଯ୍ୟାଳୟରେ ପଶି ଆତଙ୍କବାଦୀମାନେ ଗୁରୁବାର ଦିନ ଏହି ବିଭାଗରେ କାର୍ଯ୍ୟରତ ରାହୁଲଙ୍କୁ ହତ୍ୟା କରିଥିଲେ । ପରେ ଏହି ହତ୍ୟା ଲାଗି ନିଜକୁ ଦାୟୀ କରିଥିଲା କାଶ୍ମୀର ଟାଇଗର୍ସ । ଏହି ହତ୍ୟାକାଣ୍ଡକୁ ନେଇ କାଶ୍ମୀରରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ସହ ଆନ୍ଦୋଳନ ହୋଇଛି।
ବିଭିନ୍ନ ସ୍ଥାନରେ ପୋଲିସ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରାଯାଇଛି । ଅନ୍ୟପକ୍ଷେ ପୁଲଓ୍ବାମାରେ ଆଜି ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଛନ୍ତି ସ୍ପେସାଲ ପୋଲିସ ଅଫିସର ତିଆଜ ଅହମ୍ମଦ ଥୋକର। ଗଦୋରାସ୍ଥିତ ବାସଭବନ ନିକଟରେ ତାଙ୍କୁ ଗୁଳି କରାଯାଇଥିଲା। ଏନକାଉଣ୍ଟରରେ ତାଙ୍କର ମୃତ ହୋଇଥିବା ଜଣାପଡିଛି ।