ଭୁବନେଶ୍ୱର: ରାୟଗଡା କାଶୀପୁର ବ୍ଲକରେ ଝାଡାବାନ୍ତି ବ୍ୟାପିବା ଘଟଣାରେ ଆକ୍ସନ ମୋଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ । ଘଟଣାର ସବିଶେଷ ତଥ୍ୟ ଜାଣିବା ପାଇଁ ରିପୋର୍ଟ ମାଗିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ୭୨ ଘଣ୍ଟାରେ ରିପୋର୍ଟ ଦେବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ରାୟଗଡା ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ଅଭିଜ୍ଞ ଡାକ୍ତରଙ୍କ ଟିମ ପଠାଇବାକୁ ମଧ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପକ୍ଷେ, ଏହି ଘଟଣାରେ ଏଯାବତ ୭ଜଣଙ୍କ ମୃତ୍ୟୁ ହୋଇ ସାରିଛି । ସେହିଭଳି ଏବେ ସୁଦ୍ଧା ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ୫ଜଣ, କାଶୀପୁର ଓ ଟିକିରି ମେଡିକାଲରେ ୨୯ ଜଣଙ୍କ ସମେତ ମୋଟ ୪୧ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସେହିଭଳି ୨ ଗୁରୁତରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।ଘଟଣାରେ ରାୟଗଡା ଜିଲ୍ଲାପାଳ ସ୍ୱାଧ୍ୟାଦେବ ସିଂହ କାଶୀପୁରରେ ପହଁଚି ସ୍ଥିତି ଅନୁଧ୍ୟାନ କରିବା ସହ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ସେହିଭଳି କାଶୀପୁର ଅଞ୍ଚଳରେ ମେଡିକାଲ ଟିମ୍ ରହିଛନ୍ତି । ସେହିଭଳି ଆଜି ଭୁବନେଶ୍ୱରରୁ ୩ ଜଣିଆ ମେଡିକାଲ ଟିମ୍ ପହଂଚି ସିଡିଏମଓଙ୍କ ସହ ଆଲୋଚନା ପରେ ସ୍ଥିତି ବିଷୟରେ ଅନୁଧ୍ୟାନ କରିଛନ୍ତି ।