ଚଣ୍ଡୀଗଡ଼-: ପଞ୍ଜାବର ଜଳନ୍ଧର ଜିଲ୍ଲାର ବିଜେପି ନେତା ମନୋରଞ୍ଜନ କାଳିଆଙ୍କ ବାସଭବନରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି, ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ଏବଂ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଏହି ବିସ୍ଫୋରଣରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ କୌଣସି ଧନଜୀବନ ହାନି ହୋଇନଥିବା ଜଣାପଡ଼ିଛି ।
ମଙ୍ଗଳବାର ରାତି ପ୍ରାୟ ୧ଟା ସମୟରେ ଅଜ୍ଞାତ ଆକ୍ରମଣକାରୀ ମାନେ ପୂର୍ବତନ ପଞ୍ଜାବ ମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୋରଞ୍ଜନ କାଳିଆଙ୍କ ଜଳନ୍ଧରସ୍ଥିତ ବାସଭବନ ଉପରେ ଏକ ଗ୍ରେନେଡ୍ ଫିଙ୍ଗିଥିଲେ, ଯାହା ପ୍ରବେଶ ଦ୍ୱାରରେ ଥିବା କାଚ ଭାଙ୍ଗିବା ସହିତ, ସେଠାରେ ପାର୍କିଂ ହୋଇଥିବା ଏକ କାର ଏବଂ ମୋଟର ସାଇକେଲକୁ କ୍ଷତି ପହଞ୍ଚାଇଥିଲା । ଆକ୍ରମଣ ସମୟରେ କାଳିଆ ଏବଂ ତାଙ୍କ ପରିବାର ସଦସ୍ୟ ଘରେ ଥିଲେ ।
ପୋଲିସ ଷ୍ଟେସନ ଉପରେ ସିରିଜ୍ ଗ୍ରେନେଡ୍ ଆକ୍ରମଣ ପରେ ଏହା ପଞ୍ଜାବରେ ଜଣେ ରାଜନେତାଙ୍କ ବାସଭବନ ଉପରେ ପ୍ରଥମ ଆକ୍ରମଣ ଥିଲା । ଏହା ପୂର୍ବରୁ ମାର୍ଚ୍ଚ ମାସରେ ଜଳନ୍ଧରର ରାୟପୁର ରସୁଲପୁରରେ ୟୁଟ୍ୟୁବର୍ ରୋଜର ସାନ୍ଧୁଙ୍କ ଉପରେ ଏକ ଗ୍ରେନେଡ୍ ମାଡ଼ କରାଯାଇଥିଲା ।