ପୁରୀ-: ଆଜି ଆଷାଢ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି । ଆଜି ଅଣବସର ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହେବ । ଏଥିଲାଗି ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି । ସୂଚନା ଅନୁଯାୟୀ, ଶ୍ରୀଜିଉଙ୍କୁ ଘଣା ଲାଗି ପରେ ଖଳିକୁ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ । ପରେ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡିବ । ଏଥିସହ ସହ ଦଇତାପତିମାନେ ଶ୍ରୀଜିଉଙ୍କ ଶ୍ରୀପୟର ମୁଦା ନୀତି ସମ୍ପାଦନ କରିବେ । ଅନ୍ୟପକ୍ଷରେ ଆଜି ଦତ୍ତମହାପାତ୍ରଙ୍କ ଘରୁ ଭୋଗମଣ୍ଡପ ନୀତି ପରେ ଖଡ଼ି ଆସି ଖଡ଼ିଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀବିଗ୍ରହ ମାନଙ୍କ ଘଣା ଲାଗି ସମ୍ପନ୍ନ ହେବା ପରେ ଘଣ୍ଟ, ଛତା, କାହାଳି ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯିବ । ଏହି ଖଳିକୁ ଶୁଦ୍ଧ ସୁଆର ମାନେ ନିଜନିଜ ବାସଭବନରେ ଶୁଦ୍ଧପୁତ ଭାବେ ପ୍ରସ୍ତୁତ କରିଥାନ୍ତି । ଖଳିକୁ ଶୁଦ୍ଧ ସୁଆରଙ୍କ ବାସ ଭବନରେ ଖଳି ହାଣ୍ଡିକୁ ଘରର ମହିଳାମାନେ ବନ୍ଦାପନା କରିଥାନ୍ତି । ବିଜେ କାହାଳି ବାଜିବା ପରେ ସୁରକ୍ଷା ବଳୟ ଭିତରେ ପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଳି ଶ୍ରୀମନ୍ଦିରକୁ ବିଜେ କରାଯିବ । ଅଣସର ପିଣ୍ଡିରେ ଦଇତାପତି ଓ ପତିମହାପାତ୍ର ଏହି ଗୁପ୍ତ ସେବା ସମ୍ପାଦନ କରିବେ । ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀବିଗ୍ରହ ମାନଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି କରାଯିବ ।