ବିଦ୍ୟୁତ ସେବା ଯୋଗାଇବାରେ ବିଫଳ TPCODL : ଉପଭୋକ୍ତାଙ୍କ ନିକଟରେ ଦୁଃଖ କହିଲେ କର୍ମଚାରୀ

ହିନ୍ଦୋଳ(ଗୌତମ ମୁଦୁଲି) :  ପ୍ରତିଟି ଗାଁ ହେଉ ଅବା ସହର ଉତ୍ତମ ବିଦ୍ୟୁତ ସେବା ଯୋଗାଇଦେବା ନିମନ୍ତେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରକଳ୍ପର ନିର୍ମାଣ କରିଛନ୍ତି। ଯାହାଦ୍ୱାରା ଲୋକମାନେ ଉତ୍ତମ ବିଦ୍ୟୁତ ସେବା ପାଇପାରିବେ। କିନ୍ତୁ ହିନ୍ଦୋଳରେ ଏହି ସେବା ସମ୍ପୂର୍ଣ ରୂପେ ଫେଲ ମାରିଥିବା ଦେଖିବାକୁ ମିଳୁଛି।ବିଦ୍ୟୁତ ବିଭାଗର ଏଭଳି ମନମୁଖୀ ଶାସନ ନିମନ୍ତେ ବଳି ପଡୁଛନ୍ତି ହିନ୍ଦୋଳର ନିରୀହ ଜନତା। ସୂଚନା ଅନୁସାରେ ହିନ୍ଦୋଳ ଏନ୍ ଏ ସି ର ୧୨ ନମ୍ୱର୍ ୱାର୍ଡ କାନ୍ଦରାଶୁଣିରେ ସକାଳ ପ୍ରାୟ ୬ଟା ସମୟରେ ହଠାତ୍ ଫିଉଜ୍ କଟିଥିଲା। ତେବେ ୱାର୍ଡର ଲୋକମାନେ ଏନେଇ ବିଦ୍ୟୁତ କର୍ମଚାରୀ ମାନଙ୍କୁ ଅବଗତ କରାଇଥିଲେ। କିନ୍ତୁ ଦୁଃଖର ବିଷୟ ଫିଉଜ କଟିବାର ୧୧ ଘଣ୍ଟା ଅର୍ଥାତ୍ ସନ୍ଧ୍ୟା ୫ଟା ହୋଇଯାଇଥିଲେ ସୁଦ୍ଧା ବିଦ୍ୟୁତ କର୍ମଚାରୀ ମାନେ ଘଟଣା ସ୍ଥଳକୁ ଯାଇନଥିଲେ। ତେବେ ବିଦ୍ୟୁତ କର୍ମଚାରୀ ମାନଙ୍କ କହିବା କଥା ଅଫିସରେ ମାତ୍ର ଗୋଟିଏ ଗାଡ଼ି ଅଛି।ଯାହାଫଳରେ ଲୋକମାନଙ୍କୁ ଠିକ୍ ସମୟରେ ବିଦ୍ୟୁତ୍ ସେବା ଯୋଗାଇଦେବାରେ ସମ୍ପୂର୍ଣ ବିଫଳ ହେବାକୁ ପଡୁଛି। ଏବଂ କର୍ମଚାରୀ ମାନେ ନିଜସ୍ୱ ଗାଡ଼ିରେ ବିଦ୍ୟୁତ ସେବା ଯୋଗାଇବାକୁ ଗଲେ ଅଫିସ୍ ତରଫରୁ କର୍ମଚାରୀ ମାନଙ୍କୁ ପେଟ୍ରୋଲ ଖର୍ଚ୍ଚ ମିଳୁ ନଥିବାର ଅଭିଯୋଗ କରିଛନ୍ତି କିଛି କର୍ମଚାରୀ। ତେବେ ବିଦ୍ୟୁତ ବିଭାଗର ଦାୟିତ୍ଵ ହୀନତା ପାଈଁ ହିନ୍ଦୋଳର ଜନସାଧାରଣ ମାନଙ୍କୁ ନାନାଦି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତେବେ କେବେ ଏଭଳି ଅସୁବିଧାରୁ ବିଦ୍ୟୁତ ଉପଭୋକ୍ତାଙ୍କୁ ତ୍ରାହି ମିଳିବ ତାହା ଦେଖିବାକୁ ବାକି ରହିଲା।