ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନ୍ୟ ଦାୟିତ୍ୱ ନଦେବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

ଭୁବନେଶ୍ୱର: ଶକ୍ତି ବିଭାଗର ସଚିବ ଦାୟିତ୍ୱରୁ ମୁକ୍ତ ହୋଇପାରନ୍ତି ବରିଷ୍ଠ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବର୍ତ୍ତମାନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାମ କରୁଛନ୍ତି । ତେବେ ନିର୍ବାଚନ କମିଶନଙ୍କ ପାଖରୁ ଆଜି ଜାରି ଗୋଟେ ନିର୍ଦ୍ଦେଶନାମା ପରେ ତାଙ୍କୁ ଶକ୍ତି ବିଭାଗରୁ ଅବ୍ୟାହତ ଦିଆଯିବା ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନ୍ୟ ବିଭାଗ ଦାୟିତ୍ୱରୁ ମୁକ୍ତ କରିବା ନେଇ ଆଜି ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଆସନ୍ତା ବର୍ଷ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେବଳ ଏହି ସଂକ୍ରାନ୍ତିୟ କାମ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ବା ସିଇଓଙ୍କୁ ଅଧିକ ଧ୍ୟାନ ଦେବାକୁ ପଡିବ ଏବଂ ଏଥିପାଇଁ ଯଦି ସିଇଓ କିଛି ଅତିରିକ୍ତ ଦାୟିତ୍ୱ ଦେଇଥିଲେ ତୁରନ୍ତ ଦାୟିତ୍ୱ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । କେବଳ ସିଇଓ ନୁହଁନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଫିସରେ ଥିବା ଆଡିସନାଲ ସିଇଓ, ଯୁଗ୍ମ ସିଇଓ, ଡେପୁଟୀ ସିଇଓ, ଆସିଷ୍ଟାଣ୍ଟ ସିଇଓଙ୍କୁ ବି ଅତିରିକ୍ତ ଦାୟିତ୍ୱରୁ ମୁକ୍ତ ନିର୍ଦ୍ଦେଶ । ସିଇଓଙ୍କୁ ବଦଳି ବା ଅନ୍ୟ କିଛି କଲେ ପୂର୍ବରୁ ଏନେଇ ଭାରତୟ ନିର୍ବାଚନ କମିଶନଙ୍କ ପ୍ରାକ୍ ଅନୁମତି ଜରୁରୀ ବୋଲି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।