ଇଭେହିକିଲ ପ୍ରତି ଗ୍ରାହକଙ୍କ ଆଗ୍ରହ ଦେଖି ବଢିଲା ରିହାତି ଅବଧି

0

କେନ୍ଦ୍ର ସରକାର ପ୍ରଦୂଷଣ ରୋକିବାକୁ ‘ଇଲେକ୍ଟ୍ରିକ୍ ଭେହିକିଲ ପ୍ରଚଳନକୁ ଗୁରୁତ୍ୱ ଦେଇଛନ୍ତି । ଲୋକଙ୍କୁ ଇ-ଭେହିକିଲ ପ୍ରତି ଆକୃଷ୍ଟ କରିବାକୁ ମୋବିଲିଟି ପ୍ରୋମୋସନ୍ ସ୍କିମ୍ ୨୦୨୪’ କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ଏନେଇ ଭାରୀ ଶିଳ୍ପ ମନ୍ତ୍ରଣାଳୟ ସୂଚନା ଦେଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ଏହି ଯୋଜନା ପାଇଁ ମୋଟ ଖର୍ଚ୍ଚ ୭୭୮ କୋଟି ଟଙ୍କା ବୃଦ୍ଧି କରାଯାଇଛି । ୧୩ ମାର୍ଚ୍ଚ ୨୦୨୪ ରେ ମନ୍ତ୍ରଣାଳୟ ଦ୍ୱାରା ଇଲେକ୍ଟ୍ରିକ୍ ମୋବିଲିଟି ପ୍ରୋତ୍ସାହନ ଯୋଜନା ୨୦୨୪ ଏକ ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ଆରମ୍ଭ ହୋଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଦେଶରେ ଇ- ଯାନ ବ୍ୟବହାର ବୃଦ୍ଧି କରିବା । ଏପ୍ରିଲ ୧ ରୁ ଜୁଲାଇ ୩୧, ୨୦୨୪ ପର୍ୟ୍ୟନ୍ତ ଏହି ରିହାତି ଯୋଜନା ଚାଲିବାକୁ ସ୍ଥିର ହୋଇଥିଲା, ଯେଉଁଥିରେ ମୋଟ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା, କିନ୍ତୁ ବର୍ତ୍ତମାନ ଏହାକୁ ସଂଶୋଧନ କରାଯାଇଛି।

ଏହି ଯୋଜନାରେ ଜଣେ ଦୁଇଚକିଆ ଇ- ଯାନ କିଣିଲେ ତାଙ୍କୁ ୧୦ ହଜାର ଟଙ୍କା ଓ ଛୋଟ ତିନି ଚକିଆ ଇ ଯାନ ପାଇଁ ୨୫,୦୦୦ ଟଙ୍କା ମିଳିବ । ସେହିପରି ବଡ଼ ତିନି ଚକିଆ ଇ ଭେହିକିଲ ପାଇଁ ୫୦,୦୦୦ ଟଙ୍କା ସବସିଡି ସୁବିଧା ପାଇପାରିବେ। ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଏହି ଯୋଜନା ବର୍ତ୍ତମାନ ୫୬୦,୭୮୯ ଇଭି’କୁ ସପୋର୍ଟ କରିବାକୁ ଲକ୍ଷ୍ୟ ରଖିଛି, ଯେଉଁଥିରେ ୫୦୦,୦୮୦ ଦୁଇ ଚକିଆ ଯାନ ଏବଂ ୬୦,୭୦୯ ତିନି ଚକିଆ ଯାନ ରହିଛି। ଏଥିରେ ୧୩,୫୯୦ ରିକ୍ସା ଏବଂ ଇ-କାର୍ଟ, ଏବଂ ଏଲ୫ ବର୍ଗରେ ୪୭,୧୧୯ ଇ -୩ ଡବ୍ଲୁ ଅନ୍ତର୍ଭୁକ୍ତ।