୩୦ରେ ପହଞ୍ଚିଲା ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା

ଜାପାନ: ଭୂକମ୍ପର ଶକ୍ତ ଝଟକାରେ ଥରିଲା ଜାପାନ । ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ମୃତ୍ୟୁ ସଂଖ୍ୟା ବଢି ଏବେ ୩୦ ରେ ପହଞ୍ଚିଲାଣି । ଗତ କାଲି ଠାରୁ ଜାପାନରେ ଏପର୍ଯ୍ୟନ୍ତ ୧୫୫ ଥର ଭୂକମ୍ପ ଅନୁଭୂତ ହୋଇଥିବା କୁହାଯାଉଛି । ୨୦୨୪ର ପ୍ରଥମ ଦିନରେ ଘଟିଥିବା ଏହି ବଡ଼ ଭୂକମ୍ପରେ ବଞ୍ଚିଥିବା ଲୋକଙ୍କୁ ଖୋଜିବା ପାଇଁ ଜାପାନର ଉଦ୍ଧାରକାରୀମାନେ ଆଜି ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରି ଚାଲିଛନ୍ତି। ୧୫୫ ରୁ ଅଧିକ ଭୂକମ୍ପ ହୋଇଥିବା ବେଳେ ଅଧିକାଂଶ ୭.୬ ତୀବ୍ରତାର ଥିବା ରେକର୍ଡ ହୋଇଛି। ବାକିଗୁଡ଼ିକ ୬ ତୀବ୍ରତାରୁ ଅଧିକ ରହିଛି। ପ୍ରାରମ୍ଭିକ ଭୂକମ୍ପ ପରେ ଅଧିକାରୀମାନେ ସୁନାମି ଚେତାବନୀ ଜାରି କରିଛନ୍ତି। ଜାପାନ ପାଣିପାଗ ସଂସ୍ଥା (ଜେଏମ୍ଏ)ର ସୂଚନା ଅନୁଯାୟୀ, ଇସାକାୱା ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପ ହୋଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଇସିଗାୱାର ନୋଟୋଠାରେ ରହିଥିଲା। ରାଜଧାନୀ ଟୋକିୟୋଠାରୁ ଏହି ସ୍ଥାନର ଦୂରତା ପ୍ରାୟ ୩୦୦ କିମି। ଏକ ସୂଚନା ଅନୁଯାୟୀ, ୱାଜିମା ସହରରେ ୧ ମିଟରରୁ ଅଧିକ ଉଚ୍ଚ ଜୁଆର ଛୁଇଁ ସାରିଛି। ଇସିକାୱାକୁ ୫ ମିଟରରୁ ଅଧିକ ଉଚ୍ଚ ଜୁଆର ଆସିବା ସମ୍ଭାବନା ରହିଛି। ଦକ୍ଷିଣ କୋରିଆର ପୂର୍ବ ଉପକୂଳରେ ୧ ମିଟରର ସୁନାମୀ ପହଞ୍ଚି ସାରିଛି ବୋଲି ଦେଶର ପାଣିପାଗ ଏଜେନ୍ସି କହିଛି।