ପୁରୀ:- ବୁଧବାର ଶ୍ରାବଣ ଶୁକ୍ଳ ଷଷ୍ଠୀ ତିଥିରେ ଶ୍ରୀବିଗ୍ରହ ମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ଵିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପରମ୍ପରା ଅନୁଯାୟୀ ଦ୍ଵିତୀୟ ଭୋଗମଣ୍ଡପ ନୀତି ପରେ ଭିତରୁ ଜୟବିଜୟ ଦ୍ଵାର ବନ୍ଦ କରାଯିବ। ଦତ୍ତ ମହାପାତ୍ର ସେବକ ବିଭିନ୍ନ ପ୍ରାକୃତିକ ରଙ୍ଗ ସହ ଭିତରେ ପ୍ରବେଶ କରିବେ। ରତ୍ନ ସିଂହାସନ ଉପରକୁ ଯାଇ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ଶ୍ରୀମୁଖ ସିଂହାର କରିବେ। ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହିଥାଏ। ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ଶ୍ରୀମନ୍ଦିର ଭାଷାରେ ବନକଲାଗି କୁହାଯାଏ। ଏହି ନୀତି ଶେଷ ହେବା ପରେ ମହାପ୍ରଭୁଙ୍କୁ ମହାସ୍ନାନ, ବେଶ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଏବଂ ରାତ୍ର ପହୁଡ଼ କରାଯିବ। ବନକଲାଗି ସମୟରେ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇ ଅନ୍ୟ ଦେବଦେବୀଙ୍କୁ ଦର୍ଶନ କରିପାରିବେ।
ସେପଟେ ଆସନ୍ତା ୪ ତାରିଖରୁ ମହାପ୍ରଭୁଙ୍କ ଝୁଲଣା ଯାତ୍ରା ଆରମ୍ଭ ହେବ। ଠାକୁରଙ୍କର ଏହା ହେଉଛି ବର୍ଷାକାଳୀନ ରାହାସ ଉତ୍ସବ। ଶ୍ରୀମନ୍ଦିର ମୁକ୍ତିମଣ୍ଡପ କୁଞ୍ଜରେ ଝୁଲିବେ ଶ୍ରୀମଦନମୋହନଙ୍କ ସହ ଲକ୍ଷ୍ମୀ ଓ ସରସ୍ୱତୀ। ବୃନ୍ଦାବନରେ ଶ୍ରୀକୃଷ୍ଣଙ୍କ ଲୀଳା ସ୍ମରଣେ ଚଳଚଞ୍ଚଳ ହେବ ମଠ ମନ୍ଦିର। ସୁସଜ୍ଜିତ ଝୁଲଣ କୁଞ୍ଜରେ ବିଜେ ହେବ ଦେବାଦେବୀ। ଶ୍ରଦ୍ଧାଳୁମାନେ ଦେବଦେବୀଙ୍କୁ ଦର୍ଶନ କରିବା ସହ ଝୁଲଣ ସଜାର ଆନନ୍ଦ ନେବେ।