ଡାଟା ଚୋରି ପାଇଁ ଦେଶ ୧୮.୨୫ କୋଟି କ୍ଷତି ସହିଛି

0

ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ବୋଲି ସୋମବାର ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ରିପୋର୍ଟ ମାଧ୍ୟମରେ ସୂଚିତ କରାଯାଇଛି । ରିପୋର୍ଟର ନାଁ ରହିଛି ‘ବର୍ଷ ୨୦୨୩-୨୪ ପାଇଁ କରେନ୍ସି ଏବଂ ଫାଇନାନ୍ସ’ । ରିପୋର୍ଟ ମୁତାବକ,ଏହି ଡାଟା ଚୋରି ପାଇଁ ଦେଶକୁ ବହୁମୂଲ୍ୟ ଦେବାକୁ ହେଉଛି । ୨୦୨୩ରେ ଭାରତରେ ଡାଟା ଚୋରି ଯୋଗୁ ହାରାହାରି ୨.୧୮ ନିୟୁତ ଡଲାର ବା ପାଖାପାଖି ୧୮.୨୫ କୋଟି ଟଙ୍କା କ୍ଷତି ହୋଇଛି। ୨୦୨୦ରୁ ୨୦୨୩ ମଧ୍ୟରେ ଏହି ଚୋରିରେ ୨୮% ବୃଦ୍ଧି ଘଟିଛି । ତେବେ ଏହି କ୍ଷତି କ’ଣ ଏବଂ କିଏ ଏହାକୁ ଭରଣା କରିଥାଏ ତାହାକୁ ନେଇ କୌଣସି ତଥ୍ୟ ପ୍ରଦାନ କରାଯାଇନାହିଁ ।
ରିପୋର୍ଟ ମୁତାବକ, ଦେଶରେ ସାଇବର୍ ଆଟାକରେ ଫିସିଂ ମାମଲା ଅଧିକ । ଗତ ବର୍ଷ ପ୍ରାୟ ୨୨% ଫିସିଂ ମାମଲା ସାମ୍ନାକୁ ଆସିଛି । ଅନ୍ୟପକ୍ଷରେ, ଚୋରି ଏବଂ କମ୍ପ୍ରୋମାଇଜ୍ଡ କ୍ରିଡେନ୍ସିଆଲ୍ ମାମଲା ରହିଛି ୧୬% । ଗତବର୍ଷ ବିଶ୍ୱରେ ଡାଟା ଚୋରି କ୍ଷତି ୪.୪୫ ନିୟୁତ ଡଲାର ଥିଲା । ଏହା ଗତ ୩ ବର୍ଷରେ ୧୫% ବୃଦ୍ଧି ପାଇଛି । ରିଜର୍ଭ ବ୍ୟାଙ୍କ୍ର ଆକଳନ ଅନୁସାରେ, ବିଶ୍ୱବ୍ୟାପୀ ସାଇବର ଅପରାଧ ବର୍ଷ ୨୦୨୮ ସୁଦ୍ଧା ୧୩.୮୨ ଟ୍ରିଲିୟନ ଡଲାରରୁ ଅଧିକ ହୋଇଯିବ ।
ସାଇବର ସୁରକ୍ଷାକୁ ପ୍ରୋତ୍ସାହନ ଦେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ନୂଆ ପ୍ରଯୁକ୍ତିର ବ୍ୟବହାର କରୁଛି । ରିପୋର୍ଟରେ କୁହାଯାଇଛି ଯେ, ଅଧିକାଂଶ କେନ୍ଦ୍ରୀୟ ବ୍ୟାଙ୍କ ସାଇବର ସୁରକ୍ଷା ବାବଦ ବଜେଟ୍ ୫% ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି । ନିକଟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବ୍ୟାଙ୍କଗୁଡ଼ିକୁ ସାଇବର ସୁରକ୍ଷା ବଢ଼ାଇବା ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ ।
ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଭାରତ ଏବେ ରିୟଲ ଟାଇମ୍ ପେମେଣ୍ଟରେ ସବୁଠୁ ଆଗରେ ରହିଛି । ଏହା ବିଶ୍ୱ ବଜାରର ୪୮.୫% । ୨୦୧୭-୧୮ ଆର୍ଥିକ ବର୍ଷଠାରୁ ଘରୋଇ ଡିଜିଟାଲ ପେମେଣ୍ଟ ପରିମାଣ ଆକାରରେ ବାର୍ଷିକ ୫୦% ଅଭିବୃଦ୍ଧି ହାରରେ ବଢ଼ିଛି ଏବଂ ମୂଲ୍ୟ ହିସାବରେ ୧୦% ହାରରେ ପ୍ରସାରିତ ହୋଇଛି ବୋଲି ଆରବିଆଇ ରିପୋର୍ଟରେ ପ୍ରକାଶ କରିଛି ।