ବନ୍ୟା ଧ୍ୱଂସ କରିବାକୁ ବସିଲାଣି ଆସାମ ସହର 

ଗୌହାଟୀ:ଆସାମରେ ପ୍ରବଳ ବନ୍ୟା ରାଜ୍ୟକୁ ପ୍ରଭାବିତ କରିଛି । ଗତ ୨୪ ଘଣ୍ଟାରେ ବନ୍ୟା ଓ ଭୂସ୍କଳନରେ ୧୧ଜଣଙ୍କର ମୃତ୍ୟୁ ହୋଇଛି ।୩୩ ଜିଲ୍ଲାର ପ୍ରାୟ ୪୩ ଲକ୍ଷ ଲୋକ ପ୍ରଭାବିତ । ମୃତ୍ୟୁସଂଖ୍ୟା ୭୩କୁ ବୃଦ୍ଧି ପାଇଛି । ପ୍ରଭାବିତ ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ସାହାଯ୍ୟ ପହଞ୍ଚାଇବା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଖାଲି ମଣିଷ ନୁହେଁ ଜୀବଜନ୍ତୁବି ପ୍ରଭାବିତ ହୋଇଛନ୍ତି । କାଜିରଙ୍ଗା ଜାତୀୟ ପାର୍କରେ ୮ଟି ପ୍ରାଣୀଙ୍କ ମୃତ୍ୟୁ ହୋଇଛି । ଏହି ଅଞ୍ଚଳରେ ଯାନବାହାନର ଗତିକୁ ୪୦ କିଲୋମିଟର କରିଦିଆଯାଇଛି । ଚଳିତବର୍ଷ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୮୨ ହୋଇଛି ।

ବର୍ତ୍ତମାନ ୫ହଜାର ୧୩୭ ଗାଁ ବନ୍ୟା କବଳରେ ରହିଛି ।ବାରପେଟା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏହି ଜିଲ୍ଲାରେ ୧୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଦରାଙ୍ଗରେ ପାଖାପାଖି ୪ଲକ୍ଷ ଲୋକ ଜଳବନ୍ଦୀ ଅଛନ୍ତି । ନଙ୍ଗାବରେ ୩ଲକ୍ଷରୁ ଅଧିକ ଲୋକ ବନ୍ୟା କବଳରେ ଅଛନ୍ତି । ସ୍ଥାନୀୟ ପ୍ରଶାସନ ଏନଡିଆରଏଫ ଓ ଯବାନଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟଜାରି ରହିଛି ।ବନ୍ୟା ବିପନ୍ନଙ୍କୁ ସହାୟତା କରିବା ପାଇଁ କଟକ ମୁଣ୍ଡଳୀରୁ ଏନଡିଆରଏଫର ୪ଟି ଟିମ୍ ବାହାରିଛନ୍ତି। ଭୁବନେଶ୍ୱର ଏୟାରପୋର୍ଟରୁ ବାହାରି ଆସାମ ଯାଇଛନ୍ତି। ସେଠାକାର ସ୍ଥିତି ଦେଖି ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏନଡିଆରଏଫ୍ ଅଧିକାରୀ।