ପୁଣି ବିଷବଳୟ ଭିତରେ ରାଜଧାନୀ । ବିଷାକ୍ତ ବାୟୁ ପ୍ରଭାବରେ ନିଃଶ୍ୱାସ ନେବାପାଇଁ ଛଟପଟ ହେଉଛନ୍ତି ଦିଲ୍ଲୀବାସୀ । ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବାୟୁର ମାନ ସାଂଘାତିକ ରୂପ ନେଇଛି । ସହରର ବିଭିନ୍ନ ସ୍ଥାନରେ ଏକ୍ୟୁଆଇ ୪୦୦ ପାର କରିଛି । ଯାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଦିଲ୍ଲୀ ସରକାର । ଏହାସହ ଅଧିକ କଟକଣା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ତେବେ ଏକ୍ୟୁଆଇ ଅଲୀପୁରରେ ୪୧୭, ଆଇଟିଓରେ ୪୦୮, ନେହେରୁନଗରରେ ୪୦୭, ପଟପଡଗଞ୍ଜରେ ୪୦୩ ଏବଂ ପଞ୍ଜାବ ବାଗରେ ୪୦୪ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ, ଆଜି ଦିଲ୍ଲୀ-ଏନସିଆର୍ ଓ ନିକଟବର୍ତ୍ତୀ ଅଞ୍ଚଳ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଘନ ଧୂଆଁ କୁହୁଡ଼ି ରହିଥିଲା ଏବଂ ଅନେକ ସ୍ଥାନରେ ଖରାପରୁ ଅତ୍ୟନ୍ତ ଖରାପ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରିପୋର୍ଟ କରାଯାଇଥିଲା । ରାଜଧାନୀରେ କ୍ଷେତ୍ର ନୋଏଡାରେ ୩୫୪, ଗ୍ରେଟର ନୋଏଡାରେ ୩୩୬ ଏବଂ ଗାଜିଆବାଦରେ ୩୩୯ ଏକ୍ୟୁଆଇ ରହିଛି। ଏହିସବୁ ଅଞ୍ଚଳରେ ବାୟୁ ଗୁଣବତ୍ତା ସ୍ତର ବହୁତ ଖରାପ ରହିଛି । ରାଜଧାନୀ ସବୁଠାରୁ ଅଧିକ ପ୍ରଦୂଷିତ ସହର ଶୀର୍ଷ ସ୍ଥାନରେ ରହିଛି ।
ସିପିସିବି ଅନୁଯାୟୀ, ଏକ୍ୟୁଆଇ ୦-୫୦ ମଧ୍ୟରେ ଥିବାବେଳେ ‘ଭଲ’ ଏବଂ ଏହା ୪୦୦ ଅତିକ୍ରମ କଲେ ତାକୁ ‘ଗମ୍ଭୀର’ କୁହାଯାଏ। ଦିଲ୍ଲୀ, ହରିୟାଣା ଓ ଉତ୍ତରପ୍ରଦେଶରେ ୧୦ଟି ସ୍ଥାନରେ ଏକ୍ୟୁଆଇ ନିରାପଦ ସୀମାଠାରୁ ଯଥେଷ୍ଟ ବାହାରେ ରହିଥିଲା। ଏଭଳି ପରିସ୍ଥିତିରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବିଶେଷକରି ଶିଶୁ, ବୃଦ୍ଧ ଓ ଶ୍ୱାସକ୍ରିୟା ସମସ୍ୟା ଥିବା ଲୋକଙ୍କୁ ବାହାରକୁ ନ ଯିବା ଓ ସତକଁ ରହିବା ପାଇଁ ଅନୁରୋଧ କରିଛନ୍ତି। ଜାତୀୟ ରାଜଧାନୀରେ ପ୍ରଦୂଷଣ ସ୍ତର ଖରାପ ହୋଇଥିବାରୁ ଦିଲ୍ଲୀ ସରକାର ଓ ଦିଲ୍ଲୀ ପୌର ନିଗମ କାର୍ୟ୍ୟାଳୟ ସମୟରେ ପରିବର୍ତ୍ତନ କରିଛନ୍ତି। ଏନ୍ସିଆର୍ ଓ ଉତ୍ତରପ୍ରଦେଶ ବ୍ୟତୀତ ହରିୟାଣାର ପାନିପଥରେ ଅତ୍ୟଧିକ ଅବନତି ସୂଚନା ମିଳିଛି- ସେକ୍ଟର ୧୮ରେ ଏକ୍ୟୁଆଇ ୩୧୦ ରହିଛି। ଜିନ୍ଦସ୍ ପୁଲିସ ଲାଇନ ଅଞ୍ଚଳରେ ୨୯୪ ଏକ୍ୟୁଆଇ ରିପୋର୍ଟ କରାଯାଇଥିଲା। ଫତେହାବାଦର ହୁଡା ସେକ୍ଟରରେ ୨୯୨ ରେକର୍ଡ କରାଯାଇଛି, ଯାହା ହରିୟାଣାର ଖରାପ ଅବସ୍ଥାକୁ ପ୍ରତିଫଳିତ କରୁଛି। ପଞ୍ଚକୁଳାରେ ସେକ୍ଟର ୬ରେ ୨୬୮ ଏକ୍ୟୁଆଇ ଚିହ୍ନଟ ହୋଇଥିଲା।