ଭୁବନେଶ୍ୱର: ବାହନଗା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ମୃତାହତଙ୍କ ଶବକୁ ନେଇ ଏକ ବଡ଼ ସମସ୍ୟା ଦେଖାଦେଇଛି । ଅନେକ ଶବ ଏବେ ବି ଚିହ୍ନଟ ହୋଇପାରି ନ ଥିବା ବେଳେ ଗୋଟିଏ ଶବ ପାଇଁ ଏକାଧିକ ବ୍ୟକ୍ତି ଦାବି କରୁଥିବା ଖବର ସାମ୍ନାକୁ ଆସୁଛି । ଜଣେ ବାପା ତାଙ୍କର ୨୨ ବର୍ଷର ମୃତ ପୁଅକୁ ଖୋଜୁଛନ୍ତି । ପଶ୍ଚିମବଙ୍ଗର ଶିବକାନ୍ତ ରାୟ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୁଅର ଶବ ନେବା ପାଇଁ ଆସି ଭୁବନେଶ୍ୱର ଏମ୍ସରେ ପହଞ୍ଚିଛନ୍ତି । ଜୀବିତ ଅବସ୍ଥାରେ ନହେଲେ ବି ପୁଅକୁ ଶେଷ ଥର ପାଇଁ ଦେଖିବେ ଆଉ ତାର ଅନ୍ତିମ ସଂସ୍କାର କରିବେ ବୋଲି ଛାତିକୁ ପଥର କରି ସେ ଆସିଛନ୍ତି । ହେଲେ ଏଠି ଯାହା ଶୁଣୁଛନ୍ତି ତାହା ତାଙ୍କୁ ହତବାକ କରିଦେଇଛି ।
ବିହାରର ଜଣେ ବ୍ୟକ୍ତି ନିଜର କହି ଶିବକାନ୍ତଙ୍କ ପୁଅର ଶବକୁ ନେଇଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ଦୁର୍ଘଟଣାରେ ପୁଅତ ଚାଲିଗଲା ଆଉ ତାର ଶବ ବି ଗାଏବ । ତେଣୁ ଡିଏନଏ ଟେଷ୍ଟ କରାଇ ତାଙ୍କ ପୁଅର ମୃତଦେହକୁ ଫେରାଇ ଆଣିବାକୁ କାନ୍ଦି କାନ୍ଦି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ଅସହାୟ ବୃଦ୍ଧ ବାପା।