ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ନଗର ଭବନ (ଟାଉନ୍ହଲ୍) ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ବର ଏବଂ ଭକ୍ତି ନୈବେଦ୍ୟ ସାଂସ୍କୃତିକ ଅନୁଷ୍ଠାନ, ପାରଳାଖେମୁଣ୍ଡିର ମିଳିତ ସହଯୋଗରେ ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୯୪ତମ ଜୟନ୍ତୀ ଉତ୍ସବ ମହା ଆଡମ୍ୱରରେ ପାଳନ କରାଯାଇଛି।ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ହେମେନ୍ଦ୍ର ହାନାଗା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ନିର୍ମଳା ସେଠୀ , ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ତଥା ସଦସ୍ୟ ପଣ୍ଡିତ ରଘୁନାଥ ପାତ୍ର , ସୁଶ୍ରୀ ଅର୍ଜନା ମଙ୍ଗରାଜ, ଜିଲ୍ଲା ସଂସ୍କୃତି ଅଧିକାରୀ ଯୋଗ ଦେଇ ପଦ୍ମଶ୍ରୀ ପଣ୍ଡିତ ରଘୁନାଥଙ୍କ ସଙ୍ଗୀତ କଳା କୃତି ସମ୍ପର୍କରେ ଉଦବୋଧନ ଦେଇଥିଲେ।ସାଂସ୍କୃତିକ ସଭାରେ ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ଵ କରିଥିବା ବେଳେ ମଞ୍ଚ ଶିଳ୍ପୀ ଆଦର୍ଶ ଦାସ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ଆକାଶବାଣୀ ଓ ଦୂରଦର୍ଶନ ସ୍ବୀକୃତି ପ୍ରାପ୍ତ କଣ୍ଠଶିଳ୍ପୀ ଡ.ଚନ୍ଦନ ଗନ୍ତାୟତଙ୍କ ନେତୃତ୍ଵରେ ଶର୍ମିଳା ସାମନ୍ତରା , ଆଶୁତୋଷ ମିଶ୍ର , ଅଞ୍ଜଳି ପାତ୍ର ଓ ଅମୃତା ପୁରୋହିତ ପଣ୍ଡିତ ରଘୁନାଥଙ୍କ ସଙ୍ଗୀତ ଗାନ କରିଥିଲେ। ପରେ ପଦାମୃତ ନୃତ୍ୟାୟନ ଓ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର ଅନୁଷ୍ଠାନ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।