ଭୁବନେଶ୍ଵର: ଟିଚର ଇଲିଜିବିଲିଟି ଟେଷ୍ଟ (TET) ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । TET ଉତ୍ତୀର୍ଣ୍ଣ ବାଧ୍ୟତାମୂଳକ ବୋଲି ରାୟ ଦେଲେ ସୁପ୍ରିମକୋର୍ଟ । ଯେଉଁ ଶିକ୍ଷକମାନେ ଚାକିରିରେ ଅଛନ୍ତି ସେମାନଙ୍କୁ ୨ ବର୍ଷରେ TET ପାସ୍ କରିବାକୁ ପଡ଼ିବ । ଯେଉଁ ଶିକ୍ଷକଙ୍କ ଅବସର ୫ ବର୍ଷରୁ କମ୍ ଅଛି ସେମାନଙ୍କ ପାଇଁ ଦରକାର ନାହିଁ । ତେବେ ଅବସର ୫ ବର୍ଷରୁ ଊର୍ଦ୍ଧ୍ବ ଥିଲେ TET ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ । TET ଉତ୍ତୀର୍ଣ୍ଣ ହୋଇ ନ ପାରିଲେ ବାଧ୍ୟତାମୂଳକ ଅବସର । ସଂଖ୍ୟାଲଘୁଙ୍କ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ନିଷ୍ପତ୍ତି ବୃହତ ଖଣ୍ଡପୀଠ ନେବେ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟଙ୍କ ଏହି ରାୟ ଦ୍ବାରା ହଜାର ହଜାର ଶିକ୍ଷକ ପ୍ରଭାବିତ ହେବେ । ତେବେ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବ କିମ୍ବା ନାହିଁ ସେନେଇ ବୃହତ୍ତର ବେଞ୍ଚକୁ ମାମଲା ଉଲ୍ଲେଖ କରାଯାଇଛି । ରାଜସ୍ଥାନ ସରକାରଙ୍କ ନିୟମ ବିରୋଧରେ ଦାୟର ଏକ ମାମଲାରେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ୨୦୧୮ରେ ରାଜସ୍ଥାନ ସରକାର ଶିକ୍ଷକମାନଙ୍କ ପାଇଁ TET ପାସ ବାଧ୍ୟତାମୂଳକ କରିଥିଲେ । ଏହା ବିରୋଧରେ ବହୁ ଶିକ୍ଷକ ଓ ଶିକ୍ଷାନୁଷ୍ଠାନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତେବ କେବଳ ରାଜସ୍ଥାନ ନୁହେଁ ଏହି ରାୟ ତାମିଲନାଡୁ ଓ ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରୁ ଆସିଥିବା ଟିଇଟିର ବାଧ୍ୟତାମୂଳକତା ସମ୍ପର୍କିତ ଆବେଦନଗୁଡ଼ିକ ଉପରେ ଦିଆଯାଇଛି ।