ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କବାଦୀଙ୍କ ବଡ଼ଧରଣର ଆକ୍ରମଣ । ଖୈବର ପଖତୁନଖ୍ୱାରରେ ଥିବା ସେନା ପୋଷ୍ଟ ଉପରେ ଆକ୍ରମଣ କରିବା ଫଳରେ ୧୨ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ପାକିସ୍ତାନ ତାଲିବାନରୁ ବାହାରିଥିବା ହାଫିଜ ଗୁଲ ବାହାଦୁର ସଂଗଠନ । ଆତଙ୍କବାଦୀ ସଂଗଠନ ବୟାନ ଜାରି କରି ଆକ୍ରମଣ କରିଥିବା ସ୍ପଷ୍ଟ କଲା । ପାକିସ୍ତାନୀ ତାଲିବାନର ସଂଗଠନ ହାଫିଜ ଗୁଲ ବାହାଦୂର । ସବୁଠୁ ବଡ କଥା ଏହା ଯେ ଏଯାବତ ପାକିସ୍ତାନ ସରକାର କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ଆକ୍ରମଣ ପଛରେ ଥିବା ସଂଗଠନ ବିରୋଧରେ ସେନା ଓ ଗୁଇନ୍ଦା ଅଧିକାରୀମାନେ ଅପରେସନ ଆରମ୍ଭ କରିଦେଇଥିବା ଜଣାପଡ଼ିଛି। ୨୦୨୨ ନଭେମ୍ବର ମାସରୁ ପାକିସ୍ତାନରେ କ୍ରମାଗତ ଭାବେ ଆତଙ୍କବାଦୀ ହମଲା ବଢ଼ିବାରେ ଲାଗିଛି। ପାକିସ୍ତାନୀ ତାଲିବାନ ସରକାର ସହ କରିଥିବା ଅସ୍ତ୍ରବିରତି ଚୁକ୍ତି ଶେଷ ହେବା ପରେ ହିଂସା ବଢ଼ୁଛି।