ବଲୁଚିସ୍ତାନ: ବଲୁଚିସ୍ତାନର ବିଚ୍ଛିନ୍ନତା ଆନ୍ଦୋଳନ ସହ ଜଡିତ ସଶସ୍ତ୍ର ଗୋଷ୍ଠୀ Balochistan Liberation Army (ବିଏଲ୍ଏ) ସାତ ଜଣ ପାକିସ୍ତାନୀ ସୁରକ୍ଷାକର୍ମୀଙ୍କୁ ବନ୍ଧକ ରଖିଥିବା ଦାବି କରିଛି। ଏହା ସହ ଗୋଷ୍ଠୀ ଏକ ଭିଡିଓ ମଧ୍ୟ ଜାରି କରିଥିବା କୁହାଯାଉଛି। ବିଏଲ୍ଏ ତାଙ୍କର ମିଡିଆ ଚ୍ୟାନେଲ ‘ହକ୍କାଲ’ ମାଧ୍ୟମରେ ପ୍ରକାଶିତ ଭିଡିଓରେ କହିଛି ଯେ, ସମ୍ପ୍ରତି ଆରମ୍ଭ ହୋଇଥିବା ‘ଅପରେସନ୍ ହେରୋଫ୍ ୨.୦’ ସମୟରେ ଓରାଞ୍ଚ ଅଞ୍ଚଳରୁ ଏହି ସୁରକ୍ଷାକର୍ମୀମାନଙ୍କୁ ବନ୍ଦୀ କରାଯାଇଥିଲା।
ଗୋଷ୍ଠୀ ପକ୍ଷରୁ ଦାବି କରାଯାଇଛି ଯେ, ବନ୍ଧକମାନଙ୍କ ବିନିମୟ ପାଇଁ ପାକିସ୍ତାନ ସରକାର ସହ ଆଲୋଚନା କରିବାକୁ ସାତ ଦିନ ସମୟ ଦିଆଯାଇଛି। ବଲୁଚ ବନ୍ଦୀମାନଙ୍କୁ ମୁକ୍ତ କରାଯାଇଲେ ମାତ୍ରେ ବନ୍ଧକମାନଙ୍କୁ ଛାଡ଼ାଯିବ ବୋଲି ବିଏଲ୍ଏ କହିଛି। ଜାରି ହୋଇଥିବା ଭିଡିଓରେ ଜଣେ ପାକିସ୍ତାନୀ ସୁରକ୍ଷାକର୍ମୀ ନିଜର ପରିଚୟ ଦେଇ ବନ୍ଧକମାନଙ୍କୁ ମୁକ୍ତ କରିବାକୁ ଅନୁରୋଧ କରୁଥିବା ଦେଖାଯାଇଛି। ବିଏଲ୍ଏ ପକ୍ଷରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ମଧ୍ୟ ଦାବି କରାଯାଇଛି। ଏହି ଘଟଣା ପରେ ପାକିସ୍ତାନର ସୁରକ୍ଷା ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିଥିବା ଖବର ମିଳିଛି। ତେବେ ପାକିସ୍ତାନ ସରକାର କିମ୍ବା ସେନା ପକ୍ଷରୁ ଏନେଇ ସ୍ପଷ୍ଟ ପ୍ରତିକ୍ରିୟା ଆସିନାହିଁ। ପରିସ୍ଥିତି ଉପରେ ନଜର ରଖାଯାଇଛି ଏବଂ ଆଗାମୀ ଦିନରେ ଘଟଣାକ୍ରମ କେମିତି ଗତିନେବ ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ରହିଛି।