କାବୁଲ: ଆଫଗାନିସ୍ତାନରେ ତାଲିବାନର ମଧ୍ୟଯୁଗୀୟ କାନୁନ । କାବୁଲରେ ନିଷେଧ ହେଲା ମହିଳା ବିୟୁଟି ପାର୍ଲର । କାବୁଲରେ ଥିବା ସମସ୍ତ ମହିଳା ବିୟୁଟି ପାର୍ଲର ବନ୍ଦ କରିବା ସହ ସମସ୍ତଙ୍କ ଲାଇସେନସ୍ ରଦ୍ଦ ଲାଗି ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭାଇସ ଆଣ୍ଡ ଭର୍ଚ୍ୟୁ ମନ୍ତ୍ରାଳୟ ମୁଖପାତ୍ର ମହମ୍ମଦ ଅକିଫ ମହାଜର ।
ଦେଶରେ ପୁରୁଷମାନଙ୍କୁ କାମ ମିଳୁନଥିବା ବେଳେ ମହିଳାମାନେ ବିୟୁଟି ପାର୍ଲର ସମେତ ଅନ୍ୟାନ୍ୟ ସ୍ଥାନରେ କାମ କରି ପରିବାର ପୋଷଣ କରିଥାନ୍ତି । ମାତ୍ର ବିୟୁଟି ପାର୍ଲର ବନ୍ଦ ହୋଇଯିବା ପରେ ମହିଳାମାନେ ଗଭୀର ସମସ୍ୟାର ସମ୍ମୁଖୀନ ହେବେ ବୋଲି ବିଭିନ୍ନ ମହଲରୁ କୁହାଯାଉଛି । ସ୍କୁଲ ଓ ବିଶ୍ବବିଦ୍ୟାଳୟ, ଏନଜିଓ ସଂସ୍ଥା, ପାର୍କ, ସିନେମା, ଆମୋଦ ପ୍ରମୋଦ ସ୍ଥଳକୁ ଯିବା ନେଇ ବାଳିକା ଓ ମହିଳାଙ୍କ ଉପରେ ନିଷେଧାଦେଶ ଜାରି କରାଯିବା ପରେ ଏବେ ପାର୍ଲର ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛି ତାଲିବାନ । ତାଲିବାନର ଏହି ନିର୍ଦ୍ଦେଶନାମାକୁ ଆନ୍ତର୍ଜାତୀୟ ସ୍ତରରେ ସମାଲୋଚନା କରାଯାଉଛି ।