ଟି-୨୦ ବିଶ୍ୱକପ୍ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଭାରତର ୧୯୩ ରନ, ୧୯୪ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୬ର ନିଜର ଶେଷ ଲିଗ୍ ମ୍ୟାଚ୍‌ରେ ଭାରତ ନେଦରଲାଣ୍ଡକୁ ଭେଟିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୯୩ ରନ କରିଛି। ନେଦରଲାଣ୍ଡ ସମ୍ମୁଖରେ ରହିଛି ୧୯୪ ରନର ବିଜୟ ଲକ୍ଷ୍ୟ। ମ୍ୟାଚ୍‌ଟି ଅହମ୍ମଦାବାଦର Narendra Modi Stadium ରେ ଖେଳାଯାଉଛି।

ପ୍ରଥମ ଓଭରରେ ହିଁ ଭାରତକୁ ଝଟକା ଲାଗିଥିଲା। ଅଭିଷେକ ଶର୍ମା ପୁଣିଥରେ ଶୂନ୍ୟରେ ଆଉଟ୍ ହୋଇ ନିଜର ଖରାପ ଫର୍ମ ଜାରି ରଖିଛନ୍ତି। ଚଳିତ ବିଶ୍ୱକପ୍‌ରେ ସେ ଏପର୍ଯ୍ୟନ୍ତ ଖାତା ଖୋଲିପାରିନାହାନ୍ତି।ତାପରେ ଇଶାନ କିଶନ ଓ ତିଳକ ବର୍ମା ଦ୍ୱିତୀୟ ୱିକେଟ୍ ପାଇଁ ୩୮ ରନ ଯୋଡ଼ିଥିଲେ। ଇଶାନ କିଶନ ୧୮ ରନ କରିଥିବାବେଳେ ଆଉଟ୍ ହୋଇଥିଲେ। ମଧ୍ୟକ୍ରମରେ ତିଳକ ବର୍ମା ୩୧ ରନ ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୪ ରନ କରି ଦଳକୁ ମଜବୁତ ଭିତ୍ତି ଦେଇଥିଲେ। ଶିବମ ଦୁବେ ଏହି ମ୍ୟାଚ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୧ ବଲରେ ୪ଟି ଚୌକା ଓ ୬ଟି ଛକା ସହ ୬୬ ରନର ଧମାକାଦାର ଇନିଂସ ଖେଳିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୨୧ ବଲରେ ୩୦ ରନ ଯୋଗ କରିଥିଲେ। ଶେଷରେ ଭାରତ ୬ଟି ୱିକେଟ୍ ହରାଇ ୧୯୩ ରନର ଦୃଢ଼ ସ୍କୋର ତିଆରି କରିଛି। ଏବେ ଦେଖିବାକୁ ରହିଲା ନେଦରଲାଣ୍ଡ ଏହି ଲକ୍ଷ୍ୟକୁ କେମିତି ପିଛା କରୁଛି ।