ଅନୁଗୁଳ: ମାଟ୍ରିକ ପରୀକ୍ଷାରେ ନିଜ ସଫଳତା ଦେଖିବାକୁ ରହିଲେନି ସ୍ୱାତୀ । ଯାହା ଟାର୍ଗେଟ କରିଥିଲେ ତାହା ହାସଲ ମଧ୍ୟ କଲେ । ନିଷ୍ଠାର ସହ ପରିଶ୍ରମ କରି ପରୀକ୍ଷାରେ ୯୦ ପ୍ରତିଶତ ମାର୍କ ରଖି ନିଜ ସ୍ୱପ୍ନକୁ ସାକାର କଲେ ସତ, କିନ୍ତୁ ତାଙ୍କର ଏହି ସଫଳତା ଦେଖିବାକୁ ସେ ଆଜି ନିଜେ ନାହାନ୍ତି । ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବା ପୁର୍ବରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତାଙ୍କର ଜୀବନ ଚାଲିଗଲା ।
ଏହି ଛାତ୍ରୀ ହେଲେ, ସ୍ବାତୀ ସୁଚରିତା ଜେନା। ୧୫ବର୍ଷ ବୟସ୍କା ସ୍ବାତୀ ଥିଲେ ଅନୁଗୁଳ ଗାନ୍ଧୀମାର୍ଗ ସରସ୍ବତୀ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ଛାତ୍ରୀ। ବାପା ମା’ଙ୍କର ସେ ଥିଲେ ଏକମାତ୍ର ଅଲିଅଳି ଝିଅ। ସ୍ୱାତୀ ନିଜ ପରିବାର ସହିତ ଅନୁଗୁଳ ସହରର ବଣିଆବାହାଳରେ ରହୁଥିଲେ । ଗୁରୁବାର ଦିନ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଦୁଇ ମାସ ତଳର ଏହି ଦୁର୍ଘଟଣା ପୁଣି ତାଜା ହୋଇଛି। ସ୍ବାତୀଙ୍କ ପରିଶ୍ରମ ମୁତାବକ, ତାଙ୍କୁ ୯୦ ପ୍ରତିଶତ ମାର୍କ ମିଳିଛି। ଅନୁଗୁଳ ଶିଶୁ ମନ୍ଦିରର ୧୩ ଜଣ ଏ-୧ ବିଦ୍ୟାର୍ଥୀଙ୍କ ମଧ୍ୟରେ ସ୍ବାତୀଙ୍କ ନାଁ ଆସିଛି। କିନ୍ତୁ, ଏ ଖୁସି ମନାଇବା ପାଇଁ ସ୍ବାତୀ ନାହାନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣା ସ୍ବାତୀଙ୍କର କେବଳ ଜୀବନ ନେଲା ନାହିଁ, ବରଂ ବାପା’, ମା ଏବଂ ସାଙ୍ଗ ପରିଜନଙ୍କ ହୃଦୟରେ ଏକ ଶୂନ୍ୟସ୍ଥାନ ଛାଡ଼ିଦେଲା।