ରାଜ୍ୟକୁ ଆସିବ ଆହୁରି ୬୦୦ଟି e-ବସ୍‌: ଗୃହ ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟକୁ ଆସିବ ୬୦୦ e-ବସ୍‌ । ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ । ପରିବେଶ ସୁରକ୍ଷା ପାଇଁ e-ବସ୍‌ ଅଧିକ ପ୍ରଚଳନ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏବେ ରାଜ୍ୟରେ ୧ ହଜାର e-ବସ୍‌ର ଆବଶ୍ୟକତା ରହିଛି । ଏବେ ୬୦୦ e-ବସ୍ ଆସିବାକୁ ଥିବା ବେଳ ଆଗକୁ ରାଜ୍ୟ ସରକାର ଆଉ ୨୦୦ଟି e-ବସ୍‌ ଆଣିବେ ବୋଲି କହିଛନ୍ତି ମନ୍ତ୍ରୀ । ମନ୍ତ୍ରୀ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ମଧ୍ୟ ଓଡ଼ିଶାକୁ ୪୦୦ଟି e-ବସ୍‌ ପ୍ରଦାନ କରିବେ । ମୋଟ ୬୦୦ଟି e-ବସ୍‌ ଜନସାଧାରଣଙ୍କ ସେବାରେ ଲାଗିବ । ଏବେ ୨୫ଟି e-ବସ୍‌ ଆସୁଛି, ଯାହା ସମ୍ବଲପୁରକୁ ପ୍ରଦାନ କରାଯିବ । ପରେ ଅନ୍ୟ ଜିଲ୍ଲାକୁ ମଧ୍ୟ e-ବସ୍‌ ପ୍ରଦାନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ତେବେ କହିରଖୁଛୁ ଯେ, ଇ-ବସ୍‍ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନ ହାସଲ କରି ସହରାଞ୍ଚଳ ପରିବହନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି । ସମଗ୍ର ଦେଶରେ ବର୍ତ୍ତମାନ ୧୪୩୨୯ ଟି ଇ-ବସ୍ ଚଳାଚଳ କରୁଛି । କେନ୍ଦ୍ର ସରକାର ପିଏମ-ଇ ବସ୍ ସେବା ଏବଂ ପିଏମ-ଇ-ଡ୍ରାଇଭ୍ ଭଳି ଯୋଜନା ଅଧୀନରେ ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଓଡ଼ିଶାର ରାଜଧାନୀ ଅଞ୍ଚଳ ସହରାଞ୍ଚଳ ପରିବହନ (କ୍ରୁଟ୍‍) ଏହି ସହାୟତାର ଲାଭ ଉଠାଇବାରେ ସକ୍ରିୟ ରହିଛି, ଏବଂ ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ବ୍ରହ୍ମପୁର ଏବଂ ଅନୁଗୁଳକୁ “ଆମ ବସ” ସେବାର ସମ୍ପ୍ରସାରଣ ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛି ।