ଅଯୋଧ୍ୟା: ରାମନବମୀ ଅବସରରେ ଅଯୋଧ୍ୟାରେ ବିରାଜିତ ହୋଇଥିବା ରାମଲଲାଙ୍କ ସୂର୍ଯ୍ୟତିଳକ ହୋଇଛି । ଏହି ଶ୍ରୀରାମଲଲାଙ୍କ ସୂର୍ଯ୍ୟତିଳକ ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଛି । ଠିକ୍ ମଧ୍ୟାହ୍ନ ବେଳେ ଦେଖିବାକୁ ମିଳିଥିଲା ଏହି ଅଭିନବ ଦୃଶ୍ୟ । ବିଜ୍ଞାନର ଫର୍ମୁଲା ଅନୁସାରେ ଏହା ସମ୍ପନ୍ନ କରାଯାଇଛି । ବୈଜ୍ଞାନିକମାନେ ଏନେଇ ଯଥେଷ୍ଟ ଗବେଷଣା କରାଯାଇ ପରୀକ୍ଷଣ କରାଯିବା ପରେ ଆଜି ଏହାକୁ ସଫଳ ଭାବେ କାର୍ୟ୍ୟକାରୀ କରାଯାଇଛି ।
ଆଜି ହେଉଛି ଭକ୍ତଙ୍କ ପାଇଁ ଅମୃତବେଳା । ପ୍ରଭୁଙ୍କ ସୂର୍ଯ୍ୟ ତିଳକ ସହ ଜନ୍ମୋତ୍ସବର ପ୍ରତ୍ୟେକ ପ୍ରକ୍ରିୟା ଅବିସ୍ମରଣୀୟ ହୋଇଛି । ଦିନ ୧୨ଟାରେ ଶ୍ରୀରାମଙ୍କ ଜନ୍ମ ଉତ୍ସବ ସହ ତାଙ୍କ ମସ୍ତକରେ ସୂର୍ଯ୍ୟତିଳକ କରାଯାଇଛି । ଆଉ ଏହାର ସାକ୍ଷୀ ହୋଇଛନ୍ତି ବିଶ୍ୱର କୋଟି କୋଟି ରାମ ଭକ୍ତ । ଏହି ଦୃଶ୍ୟ ଦେଖିବାକୁ ଅଯୋଧ୍ୟାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ରାମଭକ୍ତଙ୍କୁ ଗରମରୁ ରକ୍ଷା କରିବା ପାଇଁ ବ୍ୟବସ୍ଥା କରାଯାଇଛି । ୫୦ ଟି ସ୍ଥାନରେ ପାଣିର ବ୍ୟବସ୍ଥା କରାଯାଇଛି । ସେହିପରି ମନ୍ଦିର ଟ୍ରଷ୍ଟ ପକ୍ଷରୁ ରାମଭକ୍ତଙ୍କ ପାଇଁ ଓଆରଏସ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନଙ୍କୁ ମୋବାଇଲ ଫୋନ, ଜୋତା, ଚପଲ ଓ ଜିନିଷପତ୍ର ରଖି ମନ୍ଦିର ଆସିବାକୁ ପରାମର୍ଶ ଦିଆଯାଇଛି ।