ବିଶ୍ୱକପରୁ ବାଦ୍ ପଡ଼ିଥାନ୍ତେ ସୂର୍ଯ୍ୟକୁମାର ଯାଦବ, ଏହି କାରଣରୁ ଫର୍ମରେ ନଥାଇ ମଧ୍ୟ ହେଲେ ସିଲେକ୍ସନ

ନୂଆଦିଲ୍ଲୀ: ICC ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହୋଇସାରିଛି ଟିମ୍ ଇଣ୍ଡିଆ। ଗୁରୁତ୍ୱପୂର୍ଣ୍ଣ ଘୋଷଣାକ୍ରମେ ଏହି ଟିମରୁ ବାଦ୍ ପଡିଛନ୍ତି ଓ୍ୱାନଡେ ଏବଂ ଟେଷ୍ଟ ଅଧିନାୟକ ଶୁଭମନ ଗିଲ୍। ହେଲେ ଖରାପ ଫର୍ମରେ ଥିବା ସତ୍ତ୍ୱେ ସୂର୍ଯ୍ୟକୁମାର ଯାଦବ ଟିମ୍ ରେ ସ୍ଥାନ ପାଇଛନ୍ତି। ଆଉ କ୍ୟାପଟେନ୍ ମଧ୍ୟ ରହିଛନ୍ତି। ହେଲେ ଏବେ ଯେଉଁ ଚର୍ଚ୍ଚା ଜୋର ଧରିଛି ତାହା ଆପଣଙ୍କୁ ଚମକାଇ ଦେବ। ମିଳିଥିବା ସୂଚନା ଅନୁସାରେ ଖରାପ ଫର୍ମ କାରଣରୁ ସିଲେକ୍ଟରମାନେ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ବିଶ୍ୱକପ୍ ଟିମ୍ ରୁ ବାହାର କରିବାକୁ ଚିନ୍ତା କରୁଥିଲେ। ହେଲେ ତାଙ୍କ କ୍ୟାପଟେନସି ତାଙ୍କୁ ଶେଷରେ ଟିମ୍ ରେ ଜାଗା ଦେଇଛି। ଟି-୨୦ ଦଳ ଉପ ଅଧିନାୟକ ହୋଇଥିବା ଶୁଭମନ ଗିଲ୍ ଦଳରୁ ବାହାର ହେବା ଚର୍ଚ୍ଚାର ବିଷୟ ପାଲଟିଛି।

କିନ୍ତୁ ପ୍ରକୃତ କଥା ହେଉଛି ସୂର୍ଯ୍ୟକୁମାରଙ୍କ ସ୍ଥିତି ମଧ୍ୟ ଅତ୍ୟନ୍ତ ଦୁର୍ବଳ ଅଟେ। ଉଭୟ ବ୍ୟାଟରଙ୍କ ପ୍ରଦର୍ଶନ ଖରାପ ରହିଛି। କିନ୍ତୁ କେବଳ ଜଣଙ୍କୁ ହିଁ ସୁଯୋଗ ମିଳିଛି। ପ୍ରଶଂସକଙ୍କ ମନରେ ଏହି ପ୍ରଶ୍ନ ମଧ୍ୟ ଉଠୁଛି ଯେ ଶୁଭମନ ଗିଲ୍ ଙ୍କ ଭଳି ପ୍ରଦର୍ଶନ କରିବା ସତ୍ତ୍ୱେ ସୂର୍ଯ୍ୟକୁମାର ଯାଦବଙ୍କୁ କିପରି ଚୟନ କରାଗଲା। ଯଦିଓ ଏହାର ଉତ୍ତର ସମସ୍ତଙ୍କୁ ଜଣା ଯେ ବିଶ୍ୱକପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଫର୍ମ ଯାହା ହେଉ ଅଧିନାୟକଙ୍କୁ ଦଳରୁ ବାହାର କରାଯାଏ ନାହିଁ। ବୋଧହୁଏ କେବଳ ଅଧିନାୟକତ୍ତ୍ୱ ହିଁ ସେହି କାରଣ ଥିଲା ଯେଉଁଥିପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତର ୨୦୨୬ ଟି-୨୦ ବିଶ୍ୱକପ୍ ଯୋଜନାରେ ରଖାଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିକୋର୍ଟ ଅନୁଯାୟୀ, ଯେତେବେଳେ ସିଲେକ୍ସନ କମିଟିର ବୈଠକ ବସିଥିଲା ସେତେବେଳେ ଶୁଭମନ ଗିଲ୍ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଫର୍ମକୁ ନେଇ ବଡ଼ ଧରଣର ଆଲୋଚନା ହୋଇଥିଲା। ଏହାପରେ ଶୁଭମନ ଗିଲ୍ ଙ୍କୁ ଦଳରୁ ବାହାରେ ରଖାଯାଇଥିଲା। ହେଲେ ସୂର୍ଯ୍ୟକୁମାର ଯାଦବ ବିଶ୍ୱକପ୍ ଦଳରେ ସ୍ଥାନ ପାଇଥିଲେ।