ଅଯଥା ଭୟ ସୃଷ୍ଟି ନ କରିବାକୁ ଇଡିକୁ ସୁପ୍ରିମକୋର୍ଟଙ୍କ ଚେତାବନୀ

ଛତିଶଗଡ଼ରେ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡିର କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଶାସକ ଦଳ ସମେତ ସରକାରୀ କର୍ମଚାରୀଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରି ଅଯଥାରେ ଭୟର ବାତାବରଣ ସୃଷ୍ଟି ନ କରିବାକୁ ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ । ରାୟପୁରରେ ପ୍ରାୟ ୨ ହଜାର କୋଟି ଟଙ୍କାର ମଦ ଦୁର୍ନୀତି ଅଭିଯୋଗ ସାମନାକୁ ଆସିଥିବା ବେଳେ ଇଡି ଏହାର ଖୋଳତାଡ଼ ଆରମ୍ଭ କରିଛି। ଏପରିକି ଏହି ଘଟଣାରେ ଇଡି ରାୟପୁର ମେୟରଙ୍କ ଭାଇ ଅନବର ଢେବର, ନିତେଶ ପୁରୋହିତ, ତ୍ରିଲୋକ ସିଂ ଓ ଅବକାରୀ ବିଭାଗର ସଚିବ ଅରୁଣପତି ତ୍ରିପାଠୀଙ୍କୁ ଗିରଫ କରିଛି। କିନ୍ତୁ ଇଡି ତଦନ୍ତ ପ୍ରକ୍ରିୟାରେ ସୁପ୍ରିମକୋର୍ଟ ଖୁସି ନ ଥିବା ପ୍ରକାଶ କରିଛନ୍ତି। ଏନେଇ ସୁପ୍ରିମକୋର୍ଟ କହିଛନ୍ତି, ଅବକାରୀ ବିଭାଗର ୫୨ ଅଧିକାରୀ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଶାରିରୀକ, ମାନସିକ ଭାବେ ଇଡି ନିର୍ୟାତନା ଦେଇ ଚାଲିଛି। ଏପରିକି ସେମାନଙ୍କ ପରିବାର ସଦସ୍ୟଙ୍କୁ ଗିରଫ କରିବାର ଧମକ ଦିଆଯାଉଛି । ଆଗକୁ ନିର୍ବାଚନ ଥିବାରୁ ଇଡି ଶାସକ ଦଳ ସମେତ ସରକାରୀ କର୍ମଚାରୀଙ୍କୁ ବି ହଇରାଣ କରୁଥିବା ଅଭିଯୋଗ ହେଉଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଧ୍ୟ ଇଡି ବିରୋଧରେ ସଙ୍ଗୀନ ଆରୋପ ଲଗାଇଛନ୍ତି। ଇଡି ବାରମ୍ବାର ଧମକାଇବା ସହ ହଇରାଣ କରିବା ତଥା ଅଯଥା ନାକେଦମ କରୁଥିବା ସେ ଅଭିଯୋଗ କରିଛନ୍ତି।