ଉନ୍ନାଓ ଗଣଦୁଷ୍କର୍ମ ମାମଲା, ଦୋଷୀ କୁଲଦୀପ ସେଙ୍ଗାରକୁ ସୁପ୍ରିମକୋର୍ଟରୁ ବଡ଼ ଝଟକା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ଶୁଣାଣି ଉପରେ ରୋକ୍ ଲଗାଇଛନ୍ତି । ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ କୁଳଦୀପ ସେଙ୍ଗରଙ୍କ ଜାମିନ୍ ଆବେଦନ ଉପରେ ରୋକ ଲାଗିଛି । ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାର ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସ୍ଥଗିତ ରଖିଛନ୍ତି । ସୁପ୍ରିମକୋର୍ଟ ସେନଗରଙ୍କୁ ଏକ ନୋଟିସ ମଧ୍ୟ ଜାରି କରିଛନ୍ତି, ଯେଉଁଥିରେ ଚାରି ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି ।

ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ବିଚାରପତି ଜେ.କେ. ମାହେଶ୍ୱରୀ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମାସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଉନ୍ନାଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂହ ସେନଗରଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । କୋର୍ଟ ସେନଗରଙ୍କ ଆବେଦନ ଉପରେ ତାଙ୍କ ଦଣ୍ଡାଦେଶକୁ ମଧ୍ୟ ସ୍ଥଗିତ ରଖିଥିଲେ । ଟ୍ରାଏଲ୍ କୋର୍ଟ ସେନଗରଙ୍କୁ ଏହି ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୁଦ୍ଧରେ ବିରୋଧ ପ୍ରଦର୍ଶନ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।