ତାମିଲନାଡ଼ୁ: ତାମିଲନାଡ଼ୁର ପାରମ୍ପରିକ କ୍ରୀଡ଼ା ଜଲ୍ଲିକଟୁକୁ ସବୁଜ ସଙ୍କେତ ଦେଲେ ଦେଶର ସର୍ବୋଚ୍ଚ ଅଦାଲତ । ଏହା ତାମିଲନାଡ଼ୁର ସାଂସ୍କୃତିକ ପରମ୍ପରାର ଅଂଶ ହୋଇଥିବାରୁ ଏହି ମାମଲାରେ ତାମିଲନାଡୁ ସରକାରଙ୍କ ଆଇନକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ତାମିଲନାଡୁରେ ଜଲ୍ଲିକଟ୍ଟୁକୁ ଆଇନସମ୍ମତ କରିବା ସଂକ୍ରାନ୍ତ କେତେକ ପିଟିସନର ଶୁଣାଣି କରି ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।
ତାମିଲନାଡ଼ୁ ସରକାରଙ୍କ ପକ୍ଷରୁ ଏହି ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି, ବର୍ଷର ଜାନୁୟାରୀରେ ପାଳିତ ହେଉଥିବା ପୋଙ୍ଗଲ ପର୍ବରେ ଜଲ୍ଲିକଟୁ ଆୟୋଜିତ ହୋଇଥାଏ। ସ୍ଥାନୀୟ ଲୋକେ ବର୍ଷ ସାରା ନିଜ ବଳଦଙ୍କୁ ଖାଇବାକୁ ଦେଇ ଏହି ଦିନକୁ ଅପେକ୍ଷା କରିଥାନ୍ତି। ଏହି ଦିନ ସେମାନଙ୍କ ବଳଦ ପ୍ରତିଯୋଗିତାରେ ଭାଗ ନେଉଥିବା ବେଳେ ସେମାନେ ତାଙ୍କର ଖୁବ୍ ଯତ୍ନ ନେଇଥାନ୍ତି। ତେଣୁ ଏଥିରେ ନିଷ୍ଠୁର ଆଚରଣର ପ୍ରଶ୍ନ ଉଠୁନି । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ତାମିଲନାଡୁରେ ଜଲ୍ଲିକଟ୍ଟୁ ଏକ ସାଂସ୍କୃତିକ ଐତିହ୍ୟ ଭାବେ ପରିଚିତି ଲାଭ କରିଛି । ବିଚାର ବିଭାଗ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ। ଜଷ୍ଟିସ କେ.ଏମ. ଯୋଶେଫ, ଜଷ୍ଟିସ ଅଜୟ ରାସ୍ତୋଗି, ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ହୃଷୀକେଶ ରୟ ଓ ଜଷ୍ଟିସ ସି.ଟି. ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଲ୍ଲିକଟ୍ଟୁ ସପକ୍ଷରେ ରାୟ ଶୁଣାଇଛନ୍ତି ।