ସରକାରୀ ବାସଭବନ ଛାଡିନାହାଁନ୍ତି ପୂର୍ବତନ ମୁଖ୍ୟ ବିଚାରପତି, ନୋଟିସ୍ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅବସରର ଅନେକ ପରେ ମଧ୍ୟ ସରକାରୀ ବାସଭବନ ଖାଲି କରିନାହାଁନ୍ତି ପୂର୍ବତନ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ । ଯାହାକୁ ନେଇ ଏବେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମାନ୍ୟବର କୋର୍ଟ ପ୍ରଶାସନ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟକୁ ଏନେଇ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ କି ଚନ୍ଦ୍ରଚୂଡ଼ଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଚିଠିରେ ଉଲ୍ଲେଖ କରାଯାଇଛି ଯେ ନିୟମ ଅନୁଯାୟୀ, ଅବସର ପରେ କେହି ଏତେ ଦିନ ପର୍ଯ୍ୟନ୍ତ ସରକାରୀ ବାସଭବନରେ ରହିପାରିବେ ନାହିଁ।

ଜଷ୍ଟିସ ଚନ୍ଦ୍ରଚୂଡ଼ ଅନୁମୋଦିତ ସମୟଠାରୁ ଅଧିକ ସମୟ ହେଲାଣି ସରକାରୀ ବାସଭବନରେ ରହୁଛନ୍ତି। ତେଣୁ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଠାରୁ ତୁରନ୍ତ କୃଷ୍ଣ ମେନନ୍ ମାର୍ଗରେ ଥିବା ବଙ୍ଗଳା ନମ୍ବର ୫କୁ ଖାଲି କରିବାକୁ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ପ୍ରଶାସନ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ନିୟମ ୩ବି ଅନୁଯାୟୀ ନିର୍ଦ୍ଧାରିତ ସମୟ ଅତିକ୍ରମ କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ଚନ୍ଦ୍ରଚୂଡ଼ ୨ ବର୍ଷ ପାଇଁ ଭାରତର ମୁଖ୍ୟ ବିଚାରପତି ରହିବା ପରେ ୧୦ ନଭେମ୍ବର ୨୦୨୪ରେ ଅବସର ନେଇଥିଲେ। ଅବସର ପରେ ନିୟମ ଅନୁସାରେ ତାଙ୍କୁ ଅସ୍ଥାୟୀ ବାସଭବନ ଭାବରେ ଏକ ଟାଇପ-୭ ବଙ୍ଗଳା ଆବଣ୍ଟିତ କରାଯାଇଥିଲା, କିନ୍ତୁ ସେ ସୁପ୍ରିମକୋର୍ଟ ପ୍ରଶାସନକୁ ଅନୁରୋଧ କରିଥିଲେ ଏବଂ ୩୦ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ୫ କୃଷ୍ଣ ମେନନ ମାର୍ଗ ବଙ୍ଗଳାରେ ରହିବା ପାଇଁ ଅନୁମତି ନେଇଥିଲେ। ମେ ପହିଲାରେ ଏହି ଅବଧି ଶେଷ ହେଉଥିବାବେଳେ ଚନ୍ଦ୍ରଚୂଡ଼ ଧାର୍ଯ୍ୟ ସମୟଠାରୁ ଅଧିକ ଦିନ ଧରି ସେଠାରେ ରହିଆସୁଛନ୍ତି। ତେଣୁ ତାହାକୁ ଖାଲି କରାଯାଇ କୋର୍ଟଙ୍କ ଗୃହ ବିଭାଗକୁ ହସ୍ତାନ୍ତର କରାଯାଉ ବୋଲି ଚିଠିରେ କୁହାଯାଇଛି।