ଓ୍ୱକଫ ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି ସୁଲତା ଦେଓ

ଭୁବନେଶ୍ୱର-: ପୁଣି ତେଜିଲା ଓ୍ୱକଫ ଚର୍ଚ୍ଚା। କିଛି ଦିନ ତଳେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ୍ୱକଫ ବିଲ୍ ସପକ୍ଷରେ ଭୋଟ୍ ଦେଇଥିବା କହିଥିଲେ। ଯାହା ପରେ ଉଠିଥିଲା ବିବାଦ। ବିଜେଡି ଦୁଇ ଫାଳ ହୋଇଯାଇଥିବା ଚର୍ଚ୍ଚା ହେଲା। କିଛି ଦିନ ତଳେ ରାଜ୍ୟସଭା ସାଂସଦ ସୁଲତା ଦେଓ ଓ୍ୱକଫ ବିଲ୍ ସମ୍ପର୍କରେ କାହାକୁ ଭୋଟ୍ ଦେଇଛନ୍ତି କହିବେନି ବୋଲି ମନା କରିଥିଲେ। ଏହାସହ ସେ ସସ୍ମିତ ପାତ୍ରଙ୍କ ସପକ୍ଷରେ ବାହାରିଥିଲେ। ହେଲେ ଏବେ ସୁଲତା ବି ନିଜେ କହିଛନ୍ତି ସେ ଓ୍ୱକଫ ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି।

ସୁଲତା କହିଛନ୍ତି,”ମୁଁ ଓ୍ୱକଫ ସପକ୍ଷରେ ଭୋଟ୍ ଦେଇଛି। ମୋର ନେତା ବିବେକ ଅନୁମୋଦିତ ଭୋଟ୍ ଦେବାକୁ କହିଥିଲେ। ଆମେ ୪ ଜଣ ବୋଧ ହୁଏ ସପକ୍ଷରେ ଭୋଟ୍ ଦେଇଛୁ। ଜଣେ ଅନୁପସ୍ଥିତ ଥିଲେ, ୨ ଜଣ ବୋଧ ହୁଏ ବିପକ୍ଷରେ ଭୋଟ୍ ଦେଇଛନ୍ତି। ସଂସଦରେ ଓ୍ୱକଫ ବିଲ୍ ପାରିତ ହେବା ପାଇଁ ଭୋଟ୍ ପଡିଥିଲା। ପ୍ରଥମେ ବିଜେଡି ଏହି ବିଲ ବିପକ୍ଷରେ ଭୋଟ୍ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ପରେ ବିଜେଡି ସାଂସଦ ସସ୍ମିତ ପାତ୍ର ନିଜ ସୋସିଆଲ ମିଡିଆ ହ୍ୟାଣ୍ଡଲରେ କହିଲେ କି, ତାଙ୍କ ନେତା ନବୀନ ପଟ୍ଟନାୟକ ନିଜ ବିବେକ ଅନୁସାରେ ଭୋଟ୍ ଦେବାକୁ କହିଛନ୍ତି।ତେଣୁ ସେ ଓ୍ୱକଫ ବିଲ୍ ସପକ୍ଷରେ ଭୋଟ୍ ଦେବେ। ଆଉ ସେଇଆ ବି କଲେ।

ପୂର୍ବରୁ ସୁଲତା ଦେଓ ଏହି ବିଲ ସମ୍ପର୍କରେ ରାଜ୍ୟ ସଭାରେ ତାଙ୍କର ମତ ରଖିଥିଲେ। ସେ ଓ୍ବକଫ ବିଲର କେତେକ ଦିଗ ଉପରେ ସମାଲୋଚନା କରିଥିଲେ, ବିଶେଷକରି ଏହା ଧାର୍ମିକ ସଂଖ୍ୟାଲଘୁଙ୍କ ଅଧିକାର ଏବଂ ଓୱାକଫ ସମ୍ପତ୍ତିର ପରିଚାଳନା ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା ପ୍ରକାଶ କରିଥିଲେ। ସୁଲୋତା ଦେଓ କହିଥିଲେ ଯେ ଏହି ବିଲ ମୁସଲମାନ ସମୁଦାୟର ଧାର୍ମିକ ଏବଂ ସାଂସ୍କୃତିକ ଅଧିକାରକୁ ପ୍ରଭାବିତ କରିପାରେ, ଏବଂ ଏହାର କେତେକ ବିଷୟ ସମ୍ବିଧାନର ମୌଳିକ ଅଧିକାର ବିରୋଧୀ ହୋଇପାରେ।