ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍‌

ଭୂବନେଶ୍ଵର: ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍‌ । ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଣିକି ହିତାଧିକାରୀ ଅଭିଯୋଗ କଲେ ବିଭାଗ ଉତ୍ତର ରଖିପାରିବ । ପୂର୍ବରୁ ପୋର୍ଟାଲ ଥିଲା, କେବଳ ଅଭିଯୋଗ ଆସୁଥିଲା କିନ୍ତୁ ଉତ୍ତର ମିଳୁ ନଥିଲ । କିନ୍ତୁ ଏବେ ସୁଭଦ୍ରା ଯୋଜନାରୁ କାହିଁକି ବାଦ ପଡିଲେ ତାହା ଜଣାଇ ଦିଆଯିବ । ସେମାନେ କଣ କଲେ ସାମିଲ ହୋଇପାରିବେ ତାହା ମଧ୍ୟ ଜଣାଇ ଦିଆଯିବ । ସୁଭଦ୍ରା ଯୋଜନାରୁ ୨ ଲକ୍ଷ ୮୫ ହଜାର ବାଦ ପଡ଼ିଛନ୍ତି । ସେମାନଙ୍କ ପାଇଁ ସମାଧାନର ରାସ୍ତା ବାହାରିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ସୁଭଦ୍ରା ପୋର୍ଟାଲରେ ଅନଲାଇନ ମାଧ୍ୟମରେ କିମ୍ବା ବିଭିନ୍ନ ସରକାରୀ ସ୍ତରରେ ଅଫଲାଇନ୍ ମାଧ୍ୟମରେ ଆସିଥିବା ଅଭିଯୋଗଗୁଡିକ ପ୍ରଥମ ପର୍ଯ୍ୟାୟରେ ବ୍ଲକ୍ ସ୍ତରୀୟ ସ୍କୃଟିନି କମିଟି କିମ୍ବା ନଗର ସ୍ତରୀୟ ସ୍କୃଟିନି କମିଟି ପାଖରେ ଦାଖଲ କରାଯିବ । ଆବଶ୍ୟକ ପଡିଲେ, କମିଟି ଅଭିଯୋଗ ପତ୍ରଗୁଡ଼ିକୁ କ୍ଷେତ୍ରସ୍ତରୀୟ ଯାଞ୍ଚ ପାଇଁ ପଠାଇବେ । କମିଟି ରିପୋର୍ଟ ଅବା କ୍ଷେତ୍ରସ୍ତରୀୟ ଯାଞ୍ଚ ରିପୋର୍ଟ ଉପରେ ଆଧାର କରି କମିଟି ଆବେଦନକାରୀଙ୍କ ଯୋଗ୍ୟତା ବିଷୟରେ ନିଷ୍ପତ୍ତି ନେବେ । ଏହା ପରେ କମିଟି, ଯାଞ୍ଚ ରିପୋର୍ଟ ସହ ଜିଲ୍ଲା ସ୍ତରୀୟ ସ୍କୃଟିନି କମିଟି କିମ୍ବା ନଗର ନିଗମ ସ୍ତରୀୟ ସ୍କୃଟିନି କମିଟି ପାଖକୁ ପଠାଇବେ । ଜିଲ୍ଲା କିମ୍ବା ନଗର ନିଗମସ୍ତରରେ ଅନୁମୋଦନର ଶେଷ ନିଷ୍ପତ୍ତି ନିଆଯିବ । ହିତାଧିକାରୀମାନେ ସୁଭଦ୍ରା ୱେବ ପୋର୍ଟାଲରେ ସେମାନଙ୍କର ଅଭିଯୋଗର ସ୍ଥିତି ସମ୍ପର୍କରେ ସୂଚନା ପାଇପାରିବେ।