ଏପ୍ରିଲ ୧ରୁ ଆରମ୍ଭ ନୂଆ ସୁଭଦ୍ରା ପଞ୍ଜୀକରଣ, ମହିଳାଙ୍କ ପାଇଁ ବଡ଼ ସୁଯୋଗ

Bhubaneswar: ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନାକୁ ନେଇ ଆଉ ଗୋଟିଏ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ପାଇଁ ଏପ୍ରିଲ ୧ରୁ ନୂଆ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ସରକାରଙ୍କ ସୂଚନା ଅନୁସାରେ, ଏପ୍ରିଲ ୧ରୁ ୩୦ ପର୍ଯ୍ୟନ୍ତ ମାତ୍ର ଏକ ମାସ ପାଇଁ ‘ସୁଭଦ୍ରା ପୋର୍ଟାଲ’ରେ ଆବେଦନ କରିପାରିବେ। ଏହି ସୁଯୋଗ କେବଳ ସେମାନଙ୍କ ପାଇଁ ଯେଉଁମାନେ ପୂର୍ବରୁ ଆବେଦନ କରିନାହାନ୍ତି।

ଏହି ଯୋଜନା ପାଇଁ ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଯୋଗ୍ୟ ମହିଳାମାନେ ଅଙ୍ଗନବାଡି କେନ୍ଦ୍ର ଓ CDPO କାର୍ଯ୍ୟାଳୟରୁ ନିଶୁଳ୍କ ଭାବେ ଆବେଦନ ପତ୍ର ପାଇପାରିବେ। ସୁଭଦ୍ରା ଯୋଜନା ଅଧୀନରେ ଚୟନିତ ହିତାଧିକାରୀମାନେ ୨୦୨୬-୨୭ ଆର୍ଥିକ ବର୍ଷରୁ ପ୍ରତିବର୍ଷ ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କା ସହାୟତା ରାଶି ପାଇବେ। ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ଏହି ଯୋଜନାକୁ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି। କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ନ ପଡ଼ନ୍ତି ବୋଲି ସରକାର ପକ୍ଷରୁ ସମସ୍ତ ପ୍ରୟାସ କରାଯାଉଛି।