ମହିଳାଙ୍କ ପାଇଁ ଖୁସି ଖବର, ଆସନ୍ତା ୨୨ ତାରିଖରେ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ଵର: ନୂଆ ବର୍ଷରେ ଆସିବାକୁ ଯାଉଛି ସୁଭଦ୍ରା ଟଙ୍କା । ନୂଆ କରି ଆବେଦନ କରିଥିବା ଏବଂ ୨ୟ କିସ୍ତିରୁ ବାଦ୍ ପଡିଥିବା ଲକ୍ଷ ଲକ୍ଷ ମହିଳାଙ୍କ ଖାତାକୁ ଆସିବାକୁ ଯାଉଛି ସୁଭଦ୍ରା ଯୋଜନାର ଟଙ୍କା । ଏ ନେଇ ବଡ଼ ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପୂର୍ବରୁ ଘୋଷଣା କରାଯାଇଥିଲା ଯେ, ଜାନୁଆରୀ ୧୮ ତାରିଖରେ ଖାତାକୁ ସୁଭଦ୍ରା ଟଙ୍କା ଆସିବ । କିନ୍ତୁ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଆଉ ୪ ଦିନ ବିଳମ୍ବ କରିଛନ୍ତି ରାଜ୍ୟ ସରକାର ।

ଆସନ୍ତା ୨୨ ତାରିଖରେ ମିଳିବ ସୁଭଦ୍ରା ଟଙ୍କା । ଏ ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ସେହିଭଳି ନୂଆ ପଞ୍ଜୀକରଣ କରିଥିବା ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପାଇବେ ପ୍ରଥମ କିସ୍ତି । ଅର୍ଥାତ ଏମାନେ ନୂଆ କରି ଆବେଦନ କରିଛନ୍ତି । ବୟସ ହେବା ପରେ ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ । ସେମାନଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିବାକୁ ଯାଉଛି । ସେହିଭଳି ତୃତୀୟ କିସ୍ତି ପାଇଥିଲେ ବି ଟେକ୍ନିକାଲ ସମସ୍ୟା ପାଇଁ ପ୍ରଥମ ଓ ଦ୍ବିତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ଏଥର ସାମିଲ କରାଯାଇଛି । ସେମାନଙ୍କୁ ଏକା ସାଙ୍ଗରେ ମିଳିବ ଦୁଇଟି କିସ୍ତି ।

ସେହିପରି ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି । ସେମାନେ ଆସନ୍ତା ଜାନୁଆରୀ ୨୨ ତାରିଖରେ ପାଇବେ ଟଙ୍କା । ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କ ଖାତାକୁ ଯିବ ମୋଟ ୨୫୦ କୋଟି ଟଙ୍କା । ଆସନ୍ତା ଅନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ ୮ରେ ଚତୁର୍ଥ କିସ୍ତି ପ୍ରଦାନ କରାଯିବ । ଏଥିରେ ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀ ଯେଉଁମାନେ କି ୩ଟି କିସ୍ତି ପାଇଛନ୍ତି ଏବଂ ନୂଆ କରି ଆବେଦନ କରିଥିବା ମହିଳା ବି ସୁଭଦ୍ରା କିସ୍ତି ଟଙ୍କା ପାଇବେ ।