ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି, ନଦୀରେ ବଢୁଛି ଜଳସ୍ତର

ବାଲେଶ୍ଵର: ପୁଣି ଉଛୁଳିଲା ଉତ୍ତର ଓଡିଶା । ବନ୍ୟାରେ ଭାଷିଲାଣି ଗାଁ ଗଣ୍ଡା । ସୁବର୍ଣ୍ଣରେଖାରେ ଚଳିତ ବର୍ଷର ଷଷ୍ଠ ବନ୍ୟା ଏବଂ ବୈତରଣୀରେ ଦ୍ବିତୀୟ ବନ୍ୟା ଆସିଛି। ଦୁଇ ନଦୀର ଜଳସ୍ତର ବଢ଼ିବା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । କେନ୍ଦୁଝର, ବାଲେଶ୍ୱର, ଭଦ୍ରକର ଅନେକ ଗାଁ ପାଣି  ଘେରରେ ରହିଛି । ଲଗାଣ ବର୍ଷାରେ  ରାଉରକେଲାର ବହୁ ସ୍ଥାନରେ ଜଳବନ୍ଦୀ  ସ୍ଥିତି ଉପୁଜିଛି । ବାଲେଶ୍ବରର ଜଳେଶ୍ବର, ଭୋଗରାଇ ଓ ବାଲିଆପାଳ ବ୍ଲକ୍‌ ଅଧୀନ ୨୫ ପଞ୍ଚାୟତର ‌୯୨ରୁ ଅଧିକ ଗାଁ ଏବଂ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ ଅଧୀନ ୫ ପଞ୍ଜାୟତର ୨୫ରୁ ଅଧିକ ଗାଁରେ ପାଣି ପଶିଛି । ଗତକାଲି ଗାଲୁଡିହି ବ୍ୟାରେଜ୍‌ର ୧୩ଟି ଗେଟ୍‌ ଖୋଲାଯାଇଥିବା ବେଳେ ଆଜି ସକାଳଠାରୁ ସୁବର୍ଣ୍ଣରେଖାର ଜଳସ୍ତର ବୃଦ୍ଧି ପାଇଛି। ରାଜଘାଟଠାରେ ସୁବର୍ଣ୍ଣରେଖାର ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଅପରାହ୍ଣ ୪ଟା ସୁଦ୍ଧା ଜଳସ୍ତର ବିପଦ ସଙ୍କେତର ବହୁ ଉପରେ ଅର୍ଥାତ୍‌ ୧୧.୧୭ ମିଟରରେ ପ୍ରବାହିତ ହେଉଛି। ବୈତରଣୀ ଓ ଶାଖା ନଦୀ କାଚିଳାରେ  ବନ୍ୟା ଯୋଗୁ ଭଦ୍ରକର ୧୦ ପଞ୍ଚାୟତ  ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ବ୍ରାହ୍ମଣୀ ନଦୀ ଜଳସ୍ତର ବଢ଼ିଥିବାରୁ  ଅଁରା ବ୍ରାହ୍ମଣୀ ନାଳ ପୋଲ ଉପରେ  ୭ ଫୁଟର ବନ୍ୟା ଜଳ ପ୍ରବାହିତ  ହେଉଛି । ରାଇଗୋଡା ଠାରୁ ଅଁରା,  ବିନିଦା, ଆମୁଣି ସମେତ ୧୦ରୁ ଅଧିକ  ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।  କେନ୍ଦୁଝର ବାଂଶପାଳ ବ୍ଲକ୍‌ର ବୈତରଣୀ  ନଦୀ, ମଲଦା, ବ୍ରାହ୍ମଣୀ, ବଇଙ୍ଗା ଆଦି  ନାଳରେ ଜଳ ସ୍ତର ବୃଦ୍ଧି ପାଇବା ସହ  ବନ୍ୟା ଜଳ ପ୍ରବାହିତ ହେଉଛି । ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ବୈତରଣୀ  ନଦୀର ଆଖୁଆପଦାରେ ଜଳସ୍ତର ବିପଦ  ସଙ୍କେତକୁ ଟପିଛି । ଏଠାରେ ବିପଦ ସଙ୍କେତ  ସ୍ତର ୮୦.୩୩ ମିଟର ଥିବାବେଳେ ୮୦.୫୫  ମିଟର ଉଚ୍ଚତାର ବନ୍ୟା ଜଳ ପ୍ରବାହିତ ହେଉଛି ।  କେନ୍ଦୁଝର ଆନନ୍ଦପୁରରେ ବୈତରଣୀର ନଦୀ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି ।  ସୁବର୍ଣ୍ଣରେଖାର ଜାମଶୋଳାଘାଟ ଓ ରାଜଘାଟଠାରେ  ମଧ୍ୟ ନଦୀ ଜଳ ବିପଦ ସଙ୍କେତ ଉପରେ ଚାଲିଛି ।  ତେବେ ମହାନଦୀରେ ବନ୍ୟା ସ୍ଥିତି ନାହିଁ ।  ରାତି ୯ଟା ସୁଦ୍ଧା ହୀରାକୁଦ ଡ୍ୟାମ୍‌ର ଜଳସ୍ତର  ୬୨୧.୭୩ ମିଟର ରହିଛି । ଖଇରମାଳରେ ପ୍ରତି  ସେକେଣ୍ଡକୁ ୨ ଲକ୍ଷ ୬୪ ହଜାର, ମୁଣ୍ଡଳୀରେ  ୧ ଲକ୍ଷ ୪୬ ହଜାର ଜଳ ନିଷ୍କାସନ ହେଉଛି ।