ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ: ଆଜି ବାମନଘାଟି ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବାମନଘାଟି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱକ୍ଷବଧାନରେ, ଆୟୋଜିତ ତଥା ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନ ଶୁଣାଣି ଅଭିଯୋଗ ଶିବିର । ଉକ୍ତ ଶିବିରରେ  ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଗୋକୁଳା ନନ୍ଦ ସାହୁ ଓ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡ଼ା.ରବୀନ୍ଦ୍ର ମାରାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ ।

ପ୍ରାରମ୍ଭରେ ଜିଲ୍ଲାପାଳ ଜନସାଧାରଣଙ୍କ ଠାରୁ ଆସୁଥିବା ଆପତ୍ତି ଅଭିଯୋଗ ଗୁଡିକର ସମାଧାନ ତ୍ୱରିତ ପ୍ରକ୍ରିୟାରେ ସମ୍ପନ୍ନ କରିବା ପାଇଁ ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଆଜିର ଏହି ଶିବିରରେ ଜନସାଧାରଣଙ୍କ ଠାରୁ ମୋଟ ୬୪ ଟି ଅଭିଯୋଗ ପତ୍ର ଗ୍ରହଣ ହୋଇଥିବା ବେଳେ ୪୯ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଏବଂ ୧୫ଟି  ଗ୍ରାମବାସୀ ଙ୍କ ବିଭିନ୍ନ ସମସ୍ୟା ଭିତ୍ତିକ ସାମୁହିକ ଅଭିଯୋଗ ଥିଲା । ଗ୍ରହଣ ହୋଇଥିବା ଆପତ୍ତି ଅଭିଯୋଗ ମଧ୍ୟରୁ ୩ଟି  ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା ଏବଂ ଅଭିଯୋଗର ଗୁରତ୍ୱକୁ ବିଚାର କରି ୩ ଜଣ ଆବେଦନକାରୀଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ  ପ୍ରତ୍ୟେକଙ୍କୁ ୫୦୦୦/- ଟଙ୍କା ଲେଖାଏଁ ମୋଟ ୧୫୦୦୦/-ଟଙ୍କା  ଜିଲ୍ଲାପାଳ ମଂଜୁର କରିଛନ୍ତି ।

ଅନ୍ୟାନ୍ୟ ଆପତ୍ତି ଅଭିଯୋଗ ଗୁଡିକର ବିଷୟ ପ୍ରସଙ୍ଗ ଉପରେ ସବିଶେଷ ତଦନ୍ତ କରି, ଅନୁଧ୍ୟାନ ପୂର୍ବକ ବିହିତ କାର୍ୟ୍ୟାନୁଷ୍ଠାନ ନେବା ସହ ତ୍ୱରିତ ପ୍ରକ୍ରିୟାରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ। ଅନୁଷ୍ଠିତ ଉକ୍ତ ବୈଠକରେ ବାମନଘାଟି ଉପଖଣ୍ଡ ଅଧିନସ୍ଥ ସମସ୍ତ ଉପଖଣ୍ଡ ସ୍ତରୀୟ ବିଭାଗୀୟ ଅଧିକାରୀ, ରାଇରଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର,ଗୋଷ୍ଠୀ ଶିକ୍ଷା ଅଧିକାରୀ, ବିଭିନ୍ନ ଲାଇନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ଦ୍ୱାରା  ଶିବିର କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।