ପୁରୁଷ ବନ୍ଧୁଙ୍କ ସହ ବେଳାଭୂମିକୁ ବୁଲିବାକୁଯାଇ ଗଣ ବଳାତ୍କାରର ଶିକାର ହେଲେ ଛାତ୍ରୀ

0

ଗୋପାଳପୁର-: ଗୋପାଳପୁରରେ ଲଜ୍ଜା । ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଆସିଥିବା ଜଣେ ଛାତ୍ରୀ ଗଣ ବଳାତ୍କାରର ଶିକାର ହୋଇଥିବାନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜ୍ଜୁ କରିବା ସହ ୧୦ ଜଣଙ୍କୁ ଅଟକ ରଖିଛି ।

ଅଭିଯୋଗ ମୁତାବକ ଗତକାଲି ଅପରାହ୍ନରେ ବ୍ରହ୍ମପୁରର ଜଣେ ଛାତ୍ର ବନ୍ଧୁଙ୍କ ସହ ପୀଡିତା ଛାତ୍ରୀ ଜଣକ ଗୋପାଳପୁର ବୁଲିବାକୁ ଆସିଥିଲେ । ପାନ୍ଥ ନିବାସ ବେଳାଭୂମି ନିକଟରେ ଉଭୟ ବସି ଗପସପ କରୁଥିଲେ । ସନ୍ଧ୍ୟା ପ୍ରାୟ ୭ଟା ସମୟରେ ୧୦ ଯୁବକ ୩ଟି ମୋଟର ସାଇକେଲରେ ଆସି ବେଳାଭୂମିରେ ପହଞ୍ଚିଥିଲେ । ଆଉ ସେଠାରେ ମଦ୍ୟପାନ କରି ଛାତ୍ରୀ ଜଣଙ୍କୁ ଅସଦାଚରଣ କରିଥିଲେ । ପୁରୁଷ ବନ୍ଧୁ ଜଣଙ୍କ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଯୁବକମାନେ ଆକ୍ରମଣ କରି ବାନ୍ଧି ଦେଇଥିଲେ ଏବଂ ଛାତ୍ରୀଙ୍କୁ ସେଠାରୁ ଟେକି ନେଇ ଗଣ ବଳାତ୍କାର କରିଥିଲେ । ଏନେଇ ଯୁବତୀ ଏବଂ ପୁରୁଷ ବନ୍ଧୁ ଗୋପାଳପୁର ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇବା ସହ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାରେ ସମ୍ପୃକ୍ତ ଯୁବକମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା ।

ପୀଡିତାଙ୍କୁ ମେଡିକାଲ ପରୀକ୍ଷା ପାଇଁ MKCG ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି । ଏହି ଘଟଣା ଉପରେ ସାମାଜିକ ମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ଦେଖାଯାଉଛି । ସ୍ଥାନୀୟ ଲୋକମାନେ ଦାବି କରୁଛନ୍ତି ଯେ ଗୋପାଳପୁର ବେଳାଭୂମିରେ ଆଲୋକ ବ୍ୟବସ୍ଥା, ପ୍ରହରୀ ନିଯୁକ୍ତି ଓ ସୁରକ୍ଷା ବୃଦ୍ଧି ହେବା ଦରକାର । ଏହି ଘଟଣା ପରେ ଗୋପାଳପୁର ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେବେ ଘଟଣାକୁ ବିରୋଧିଦଳର ନେତା ନବୀନ ପଟ୍ଟନାୟକଦୁଃଖ ପ୍ରକାଶ କରି କହିଛନ୍ତି, ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଖବର ଅତ୍ୟନ୍ତ ସ୍ପର୍ଶକାତର, ସଭିଙ୍କୁ ଏହା ବିଚଳିତ କରିଛି । ଏହାକୁ ମୁଁ ଦୃଢ଼ ନିନ୍ଦା କରୁଛି । ପର୍ଯ୍ୟଟନ ସ୍ଥଳୀରେ ମହିଳାମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତିଦିନ ମହିଳାଙ୍କ ଉପରେ ବଢୁଥୁବା ନିର୍ଯାତନାକୁ ରୋକିବା ଦିଗରେ ସରକାର ସଜାଗ ହୁଅନ୍ତୁ ଏବଂ ରାଜ୍ୟରେ ମହିଳାମାନଙ୍କ ନିରାପତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରନ୍ତୁ ।