ଭୁବନେଶ୍ୱର: ବିଜେପି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଛୋଟେଲାଲ ମହାନ୍ତ । ଦଳର ମୋରଡା ପ୍ରାର୍ଥୀ ଚୟନ ତଥା ମୟୂରଭଞ୍ଜ ସାଂସଦ ଚୟନକୁ ନାପସନ୍ଦ କରି ସେ ଏହି ଇସ୍ତଫା ପ୍ରଦାନ କରୁଥିବା ପ୍ରକାଶ କରିଛନ୍ତି । ଦୀର୍ଘ ୩୮ ବର୍ଷ ଦଳ ସହ କାର୍ଯ୍ୟ କରିଥିବା ବେଳେ ଏଥର ମୋରଡାରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ ଛୋଟେଲାଲ । ରାଷ୍ଟ୍ରୀୟ ସ୍ବୟଂ ସେବକ ଦଳର ମୟୂରଭଞ୍ଜ ଜିଲ୍ଲାର ପ୍ରଥମ ପ୍ରଚାରକ ଭାବେ ୧୯୮୦ମସିହାରେ ନିଜର ସାଙ୍ଗଠନିକ କାର୍ୟ୍ୟ ଆରମ୍ଭ କରିଥିଲେ। ବିଜେପି ଦଳର ବିଭିନ୍ନ ରାଜ୍ୟ ଓ ଜିଲ୍ଲା ସାଙ୍ଗଠନିକ ଦାୟିତ୍ବ ନିର୍ବାହ କରୁଥିବା ବେଳେ ବର୍ତ୍ତମାନ ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଭାବେ ଛୋଟଲାଲ ଦାୟିତ୍ୱରେ ରହିଥିଲେ।
ସାଙ୍ଗଠନିକ ଦାୟିତ୍ବକୁ ଅତ୍ୟନ୍ତ ନିଷ୍ଠାର ନିର୍ବାହ କରିଥିବା ସତ୍ତ୍ୱେ ତାଙ୍କୁ ଦଳରେ ଉପେକ୍ଷା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ସେ ଜିଲ୍ଲାର ଜଣେ କୁଡୁମୀ ନେତା ଭାବେ ପରିଚିତ ଥିବା ବେଳେ ମୋରଡ଼ା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଆଶାୟୀ ରହିଥିଲେ। କିନ୍ତୁ ଗତ ସାଧାରଣ ନିର୍ବାଚନରୁ ତାଙ୍କୁ ଟିକେଟ ପ୍ରଦାନ କରିବାରେ ଦଳ ଉପେକ୍ଷା କରିଛି। ଦୁଃଖ ପରିତାପର ବିଷୟ ଯେ ଓଡିଶାର ୪୦ଲକ୍ଷ କୁଡୁମୀ (ମହାନ୍ତ) ସମାଜର କୌଣସି ବ୍ୟକ୍ତିଙ୍କୁ ବିଜେପି ପକ୍ଷରୁ ଚଳିତ ୨୦୨୪ ନିର୍ବାଚନରେ କୈାଣସି ସ୍ଥାନରୁ ନିର୍ବାଚନ ଲଢିବାର ସୁଯୋଗ ଦିଆଗଲା ନାହିଁ। ଯାହାକୁ ସେ ଛୋଟଲାଲ ଦୃଢ ଭାବରେ ବିରୋଧ କରି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।