ନୂଆଦିଲ୍ଲୀ: ଫେବୃଆରୀ ୧୨ ତାରିଖରେ ନାମିବିୟା ବିପକ୍ଷରେ ଭାରତର ମହତ୍ତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଦଳର ଯୁବ ଓପନର ଅଭିଷେକ ଶର୍ମା ଅସୁସ୍ଥ ହୋଇପଡ଼ିଥିବାରୁ ତାଙ୍କର ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ହେବାକୁଥିବା ଏହି ମ୍ୟାଚ୍ ପୂର୍ବରୁ ମଙ୍ଗଳବାର ଟିମ୍ ଇଣ୍ଡିଆ ଅଭ୍ୟାସ କରିଥିଲା, କିନ୍ତୁ ଅଭିଷେକ ଏହି ପ୍ରଶିକ୍ଷଣ ଅଧିବେଶନରେ ଅଂଶଗ୍ରହଣ କରିନଥିଲେ। ଅଧିକାଂଶ ଭାରତୀୟ ଖେଳାଳି ମାଇଦାନରେ ଘାମ ଝରାଇଥିବା ବେଳେ ଆଘାତରୁ ଫେରିଥିବା ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ମଧ୍ୟ ଅଭ୍ୟାସ କରୁଥିବାର ଦେଖାଯାଇଥିଲା। ଏହା ଦଳ ପାଇଁ ସକାରାତ୍ମକ ସଙ୍କେତ ହେଲେ ମଧ୍ୟ ଅଭିଷେକଙ୍କ ଅନୁପସ୍ଥିତି ଚିନ୍ତା ବଢ଼ାଇଛି।

ଭାରତୀୟ ପ୍ରଶିକ୍ଷକ ରିଆନ୍ ଟେନ୍ ସ୍ପଷ୍ଟ କରିଛନ୍ତି ଯେ, ଅଭିଷେକ ଶର୍ମା ପେଟ ସମସ୍ୟାରେ ପୀଡିତ ଅଛନ୍ତି। ସେ କହିଛନ୍ତି, “ଆମେ ଆଶା କରୁଛୁ ଯେ ସେ ଦୁଇ ଦିନ ମଧ୍ୟରେ ସୁସ୍ଥ ହେବେ ଏବଂ ପରବର୍ତ୍ତୀ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ।” ଉଲ୍ଲେଖନୀୟ ଯେ, ଆମେରିକା ବିପକ୍ଷ ମ୍ୟାଚ୍ରେ ଅସୁସ୍ଥ ଥିବା ସତ୍ତ୍ୱେ ସେ ଖେଳିଥିଲେ, କିନ୍ତୁ ପ୍ରଥମ ବଲ୍ରେ ଆଉଟ୍ ହୋଇଥିଲେ ଏବଂ ପରେ ଫିଲ୍ଡିଂ ପାଇଁ ମାଇଦାନକୁ ଆସିନଥିଲେ। ଏପରି ସ୍ଥିତିରେ ଯଦି ଅଭିଷେକ ଶର୍ମା ସମୟରେ ଫିଟ୍ ହୋଇପାରିବେ ନାହିଁ, ତେବେ ସଞ୍ଜୁ ସାମସନ୍ଙ୍କୁ ଖେଳାଇବାକୁ ଦଳ ପରିଚାଳନା ବିଚାର କରିପାରେ। ସଞ୍ଜୁ ମଧ୍ୟ ନେଟ୍ସରେ ଭଲ ଅଭ୍ୟାସ କରୁଥିବାରୁ ସେ ଏକ ବିକଳ୍ପ ଭାବେ ଦୃଢ଼ ପ୍ରତିଦ୍ୱନ୍ଦ୍ୱୀ ହେବେ। ଏବେ ସମସ୍ତଙ୍କ ଦୃଷ୍ଟି ଅଭିଷେକଙ୍କ ଫିଟ୍ନେସ୍ ଅପଡେଟ୍ ଉପରେ ରହିଛି। ନାମିବିୟା ବିପକ୍ଷରେ ମ୍ୟାଚ୍ ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟ ସ୍ଥିତି ଟିମ୍ ଇଣ୍ଡିଆର ଅନ୍ତିମ ଏକାଦଶ ନିର୍ଦ୍ଧାରଣରେ ମୁଖ୍ୟ ଭୂମିକା ନେବ।