ନୂଆଦିଲ୍ଲୀ: ‘ବାହୁବଳୀ’ ଏବଂ ‘ଆର୍.ଆର୍.ଆର୍’ ଭଳି ବ୍ଲକ୍ବଷ୍ଟର୍ ଫିଲ୍ମ ଦେଇଥିବା ବିଖ୍ୟାତ ନିର୍ଦ୍ଦେଶକ ଏସ୍.ଏସ୍. ରାଜାମୌଲିଙ୍କ ଆଗାମୀ ଫିଲ୍ମକୁ ନେଇ ଫ୍ୟାନ୍ମାନଙ୍କ ମଧ୍ୟରେ ଜୋରଦାର ଉତ୍ସାହ ଦେଖାଯାଉଛି। ସାଉଥ୍, ବଲିଉଡ୍ ଓ ହଲିଉଡ୍ର ଅଭୂତପୂର୍ବ ସମ୍ମିଳନ ହେବାକୁ ଯାଉଥିବା ଏହି ଫିଲ୍ମର ନାଁ ‘ବାରାଣସୀ’। ଏହି ମେଗା ପ୍ରୋଜେକ୍ଟରେ ସାଉଥ୍ ସୁପରଷ୍ଟାର ମହେଶ ବାବୁ ଓ ପୃଥ୍ୱୀରାଜ ସୁକୁମାରନ ମୁଖ୍ୟ ଭୂମିକାରେ ନଜର ଆସିବେ। ସେହିପରି ଫିମେଲ୍ ଲିଡ୍ ଭାବେ ଗ୍ଲୋବାଲ୍ ଷ୍ଟାର୍ ପ୍ରିୟଙ୍କା ଚୋପ୍ରା ଏହି ଫିଲ୍ମରେ ଅଭିନୟ କରିବେ।
ସମ୍ପ୍ରତି ‘ଗ୍ଲୋବ୍ଟ୍ରଟର୍ ଇଭେଣ୍ଟ’ରେ ଫିଲ୍ମର ଏକ ଛୋଟ ଗ୍ଲିମ୍ପସ୍ ଦେଖାଯାଇଥିଲା, ଯାହା ପରେ ଫିଲ୍ମକୁ ନେଇ ଉତ୍ସୁକତା ଆହୁରି ବଢ଼ିଯାଇଛି। ଏହା ମଧ୍ୟରେ ବାରାଣସୀ ସହରର ବିଭିନ୍ନ ସ୍ଥାନରେ “୭ ଏପ୍ରିଲ୍ ୨୦୨୭” ଲେଖା ଥିବା ବିଲବୋର୍ଡ ଦେଖାଯାଇଛି, ଯାହା ପରେ ଫିଲ୍ମର ମୁକ୍ତିଲାଭ ତାରିଖକୁ ନେଇ ଚର୍ଚ୍ଚା ତୀବ୍ର ହୋଇଛି। ଫିଲ୍ମ କ୍ରିଟିକ୍ ଓ ଟ୍ରେଡ୍ ଏନାଲିଷ୍ଟ ତରଣ ଆଦର୍ଶ ସୋସିଆଲ୍ ମିଡିଆରେ ବିଲବୋର୍ଡର ଫଟୋ ସେୟାର୍ କରି ଲେଖିଛନ୍ତି ଯେ, ଏସ୍.ଏସ୍. ରାଜାମୌଲିଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ବାରାଣସୀ’ ୭ ଏପ୍ରିଲ୍ ୨୦୨୭ରେ ଗ୍ଲୋବାଲ୍ ରିଲିଜ୍ ହୋଇପାରେ। ସେ ଏହା ମଧ୍ୟ କହିଛନ୍ତି ଯେ, ଏହା ନେଇ ଆଜି ରାତିରେ ଆଧିକାରିକ ଘୋଷଣା ହେବାର ସମ୍ଭାବନା ରହିଛି। ତରଣ ଆଦର୍ଶଙ୍କ ଅନୁସାରେ, ୭ ଏପ୍ରିଲ୍ ଦିନ ଉଗାଡି ଏବଂ ଗୁଡ଼ି ପଡୱା ପାଳନ କରାଯାଏ। ଏହା ପରେ ୧୪ ଏପ୍ରିଲ୍ରେ ଆମ୍ବେଦକର ଜୟନ୍ତୀ ଓ ୧୫ ଏପ୍ରିଲ୍ରେ ରାମ ନବମୀ ରହିଛି। ଏଭଳି ହଲିଡେ ସିଜନ୍କୁ ଦୃଷ୍ଟିରେ ରଖି ଏହି ତାରିଖ ଚୟନ କରାଯାଇଥିବା ସମ୍ଭାବନା ରହିଛି।