କେନ୍ଦ୍ରରୁ ଫେରିଲେ ଆଇପିଏସ୍ ୱାଇ.ବି ଖୁରାନିଆ । ବିଏସଏଫ୍ ସ୍ପେଶାଲ୍ ଡିଜି ୱାଇ.ବି ଖୁରାନିଆ କେନ୍ଦ୍ରରୁ ଫେରିଛନ୍ତି । ଏନେଇ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟର ଅନୁମୋଦନ ମିଳିଛି । ୱାଇ.ବି ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ପରବର୍ତ୍ତୀ ଡିଜିପି ହେବା ନେଇ ଚର୍ଚ୍ଚା ବଢ଼ିଛି । ଏବେ ରାଜ୍ୟରେ ୧୯୯୦ ବ୍ୟାଚ୍ ଆଇପିଏସ୍ ଅରୁଣ କୁମାର ଷଡ଼ଙ୍ଗୀ ଅସ୍ଥାୟୀ ଡିଜି ଭାବେ କାର୍ଯ୍ୟରତ ଅଛନ୍ତି ।
ୱାଇ.ବି ଖୁରାନିଆ ଗତ ୨୦୨୧ ମସିହାରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି । ସେ ଭୁବନେଶ୍ୱର-କଟକ କମିଶନରେଟ ପୁଲିସର କମିଶନର ଓ ନୟାଗଡ଼, ରାଉରକେଲା, ଯାଜପୁର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ପୁଲିସ ଏସପି ଭାବେ କାର୍ଯ୍ୟ କରିଛନ୍ତି । କେବଳ ଏତିକି ନୁହେଁ ସେ ଉତ୍ତରାଂଚଳ ଓ ଦକ୍ଷିଣାଂଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀର ମଧ୍ୟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ ।
ସୂଚନାଯୋଗ୍ୟ, ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ହେଉଛନ୍ତି ୱାଇ.ବି ଖୁରାନିଆ। କେନ୍ଦ୍ରୀୟ ଡେପୁଟେସନରୁ ସେ ଶୁକ୍ରବାର ଓଡ଼ିଶା ଫେରିଛନ୍ତି।