FM କଲେଜ ଛାତ୍ରୀ ମୃତ୍ୟୁ ମାମଲା: ନ୍ୟାୟିକ ତଦନ୍ତ ଦାବି କଲା ABVP

ଭୁବନେଶ୍ଵର: FM କଲେଜ ଛାତ୍ରୀ ମୃତ୍ୟୁ ମାମଲାକୁ ନେଇ ଏବେ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ନେତା ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି ବିରୋଧି । ଏହାରି ଭିତରେ ଛାତ୍ରୀ ମୃତ୍ୟୁ ମାମଲାରେ ଗର୍ଜିଛି ABVP । କଂଗ୍ରେସର NSUI ଓ BCJDକୁ ଦାୟୀ କରିଛି ABVP । ଫଟୋ ଓ ଦସ୍ତଖତ ଦେଖାଇ ଟାର୍ଗେଟ୍‌ କଲେ ABVP ସାଧାରଣ ସମ୍ପାଦିକା ଦିପ୍ତିମୟୀ । ଅଭିଯୁକ୍ତ HODଙ୍କ ସପକ୍ଷରେ ଦସ୍ତଖତ ସଂଗ୍ରହ କରୁଥିଲା କଂଗ୍ରେସ । ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଦିଲ୍ଲୀ ନିର୍ଭୟା ଆଇନ ଭଳି ଓଡ଼ିଶାରେ ଆଇନ ପ୍ରଣୟନ ହେଉ । FM ଛାତ୍ରୀ ମୃତ୍ୟୁ ଘଟଣାରେ ନ୍ୟାୟିକ ତଦନ୍ତ ହେଉ । ଅବସରପ୍ରାପ୍ତ ବିଚାରପତି, କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ବାବଧାନରେ ତଦନ୍ତ ହେଉ ବୋଲି ଦାବି କରିଛି ABVP ।

ସେପଟେ ସୌମ୍ୟାଶ୍ରୀ ମୃତ୍ୟୁ ମାମଲାରେ ଏଫ୍ଏମ୍ କଲେଜରେ ଚାଲିଛି ମାରାଥନ୍ ଜେରା । ଗୋଟେ ପରେ ଗୋଟେ ତଦନ୍ତକାରୀ ଦଳ କଲେଜରେ ଜେରା କରୁଛନ୍ତି । ପୀଡ଼ିତାଙ୍କ ଗାଁରେ ପହଞ୍ଚି ତଦନ୍ତ କରୁଛି ମଧ୍ୟ କ୍ରାଇମବ୍ରାଞ୍ଚ। ଭୋଗରାଇ ବ୍ଲକରେ ଥିବା ପୀଡ଼ିତାଙ୍କ ଗାଁକୁ ଯାଇ ପରିବାରଲୋକଙ୍କ ସହ ତଦନ୍ତକାରୀ ଟିମ୍ କଥା ହୋଇଛନ୍ତି। କ୍ରାଇମବ୍ରାଞ୍ଚ ଆଇଜି ଏସ୍.ସାଇନିଙ୍କ ନେତତ୍ବରେ ଚାଲିଛି ତନାଘନା। ଏହାପୂର୍ବରୁ କଲେଜ କତ୍ତୃପକ୍ଷ ଓ କିଛି ଛାତ୍ରଛାତ୍ରୀଙ୍କୁ ପଚରାଉଚରା ସରିଛି। FM କଲେଜରେ UGCର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ପ୍ରଫେସର ରାଜ କୁମାର ମିତ୍ତଲଙ୍କ ଅଧ୍ୟକ୍ଷତାରେ ୪ଜଣିଆ ଟିମ କଲେଜରେ ପହଞ୍ଚିଛନ୍ତି । ଟିମରେ ଅଛନ୍ତି ପ୍ରଫେସର ସୁଷମା ଯାଦବ, ଡକ୍ଟର ନିରଜା ଗୁପ୍ତା ଓ ୟୁଜିସିର ଯୁଗ୍ମ ସଚିବ ଡକ୍ଟର ଅସୀମା ମଙ୍ଗଲା ।  ଘଟଣାର ପାରିପାର୍ଶ୍ବିକ ସ୍ଥିତି ଯାଞ୍ଚ କରିବ ଟିମ୍ । କଲେଜରେ ଛାତ୍ରୀ ଜୀବନ ହାରିବା ଘଟଣାର ତଦନ୍ତ କରିବେ । ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ତଦନ୍ତ କମିଟି ।