ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ଉଠୁଛି ପଡୁଛି ସାରା ଦେଶ, ଉଦ୍‌ବେଗ ପ୍ରକାଶ କଲେ ରାହୁଲ, ପ୍ରିୟଙ୍କା

ନୂଆଦିଲ୍ଲୀ: ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହୁତି ଘଟଣାକୁ ନେଇ ଏବେ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ନାରୀ ସୁରକ୍ଷାର ନାରା ଦେଇ ରାଜରାସ୍ତାରେ ବିରୋଧି ଗର୍ଜୁଥିବା ବେଳେ ଚାରିଆଡେ ଜଳୁଛି କ୍ରୋଧର ବହ୍ନି । ଘଟଣାକୁ ନେଇ ଏବେ ସାରା ଦେଶ ହୁଲୁସ୍ତୁଲ ହୋଇପଡିଛି । ଅପାରଗ ରାଜ୍ୟ ସରକାରଙ୍କ ଇସ୍ତଫା ଦାବି ନେଇ ବର୍ଷୁଛନ୍ତି ନେତା ରାଜନେତାଙ୍କ ଠାରୁ ସାଧାରଣ ଜନତା । ରାଜ୍ୟରେ ଏ ଘଟଣାକୁ ନେଇ ରାଜନୀତି ତୀବ୍ର ହୋଇଥିବା ବେଳେ ସେପଟେ କଂଗ୍ରେସର ଟପ୍ ଲିଡର୍ ପ୍ରିୟଙ୍କ ଗାନ୍ଧି ଏବଂ ରାହୁଲ ଗାନ୍ଧି ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ ସେୟାର କରି ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ପ୍ରିୟଙ୍କା ଗାନ୍ଧି । ଓଡ଼ିଶାରେ ପୁଣି ଏକ ଝିଅ ନ୍ୟାୟ ପାଇଁ ଲଢ଼ି ହାରିଗଲା । ପୀଡ଼ିତା ନିଜ ସହ ହୋଇଥିବା ଅତ୍ୟାଚାରକୁ ନେଇ ପ୍ରଶ୍ନ ଉଠାଇଥିଲେ । କିନ୍ତୁ ନ୍ୟାୟ ମିଳିବା ବଦଳରେ ମିଳିଲା ଅପମାନ ଓ ପ୍ରତାରଣା । ଏଭଳି ଅତ୍ୟାଚାର ତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଦେଲା ବୋଲି କହିଛନ୍ତି ପ୍ରିୟଙ୍କା ।

ସେହିପରି ଘଟଣାକୁ ଜଟିଳତାର ସହ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ନ୍ୟାୟ ପାଇଁ ଲଢୁଥିବା ଝିଅକୁ ସିଧା ବିଜେପି ସିଷ୍ଟମ ଦ୍ବାରା ହତ୍ୟା କରାଯାଇଛି । ଯୌନଶୋଷଣ ବିରୋଧରେ ଛାତ୍ରୀ ଜଣକ ସ୍ବର ଉଠାଇଥିଲେ । କିନ୍ତୁ ନ୍ୟାୟ ବଦଳରେ ତାଙ୍କୁ ଧମକ ଦିଆଗଲା । ବାରମ୍ବାର ଅପମାନିତ କରାଗଲା । ଯିଏ ରକ୍ଷା କରିବା କଥା ସିଏ ହିଁ ମନୋବଳ ଭାଙ୍ଗି ଚାଲିଥିଲେ । ଇଏ ଆତ୍ମହତ୍ୟା ନୁହେଁ ସିଷ୍ଟମ ଦ୍ବାରା ସଂଗଠିତ ହତ୍ୟା ବୋଲି କହିଛନ୍ତି ରାହୁଲ । ଓଡ଼ିଶା ହେଉ କିମ୍ବା ମଣିପୁର । ଦେଶର ଝିଅମାନେ ମରୁଛନ୍ତି । ପ୍ରଧାନମନ୍ତ୍ରୀ ଆପଣ କାହିଁକି ଚୁପ୍ ବସିଛନ୍ତି । ଜବାବ ରଖନ୍ତୁ ବୋଲି କହିଛନ୍ତି ରାହୁଲ ଗାନ୍ଧି ।.