ବ୍ୟୁରୋ-: ବିଜୁ ଜନତା ଦଳ (ବିଜେଡି) ଭିତରେ ଅସନ୍ତୋଷ ଦେଖାଦେଇଛି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଦ୍ୱାରା ୱାକଫ (ସଂଶୋଧନ) ବିଲ୍, ୨୦୨୫କୁ ସମର୍ଥନ କରାଯିବା ପରେ ଏହି ସ୍ଥିତି ସୃଷ୍ଟି ହୋଇଛି । ବିଜେଡିର ଆଭିମୁଖ୍ୟକୁ ନେଇ ବିଜେଡିର ପୂର୍ବତନ ନେତା ତଥା ପୂର୍ବତନ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ପ୍ରୟୋଗ କଲେ ତେର୍ଚ୍ଛା ବାଣ । ନବୀନ ବାବୁଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ନିଶାନା କଲେ ସୌମ୍ୟ । ନବୀନ ବାବୁ ବେଶୀ କଥା କୁହନ୍ତି ନାହିଁ, ଧୋକା ଦେଲେ କ୍ଷୁବ୍ଧ ହୋଇଯାଆନ୍ତି । ନବୀନ ବାବୁ ରାଗିଲେ ବେଇମାନ୍ ଶବ୍ଦର ପ୍ରୟୋଗ କରନ୍ତି । ‘ୱକପ୍ ବିଲ୍’ ପ୍ରସଙ୍ଗରେ ବିଜେପିକୁ ସମର୍ଥନ ଦେବା ନ ଦେବା ନେଇ ତାଙ୍କ ଦଳର ନେତାମାନଙ୍କର ଆଚରଣ ଓ ଉଚ୍ଚାରଣରୁ ଆମେ କ’ଣ ବୁଝିବା ? ନବୀନ ବାବୁଙ୍କୁ ଆମେ କେଉଁ ଭାଷାରେ ବର୍ଣ୍ଣନା କରିବା ? ମୋତେ ଲାଗେ, ‘ଚୁପ୍ ସଇତାନ’ ଛଡ଼ା ଆଉ ଭଲ ଶବ୍ଦ ମିଳିବ ନାହିଁ ।
ଦିନ ଥିଲା, ନବୀନବାବୁଙ୍କୁ ଓଡ଼ିଆ ମାନଙ୍କର ‘ହୃଦୟ ସମ୍ରାଟ’ ବୋଲି ତାଙ୍କର ତୋଷାମଦକାରୀମାନେ କହି ବୁଲୁଥିଲେ । ନବୀନବାବୁ ଏହାକୁ ନେଇ କ’ଣ ଭାବୁଥିଲେ ଜଣା ନାହିଁ । କିନ୍ତୁ ନିଶ୍ଚୟ ଉପଭୋଗ କରୁଥିବେ । ପିତାଙ୍କ ନାମରେ ଗଢ଼ିଥିବା ‘ବିଜୁ ଜନତା ଦଳ, ଓଡ଼ିଶାବାସୀଙ୍କ ଦଳ’ ବୋଲି ସମସ୍ତେ କହୁଥିଲେ । ଆଜି କ’ଣ ହୋଇଛି ଯେ ଏତେ କଥା ଘଟି ଯାଉଛି, ଅଥଚ ସମ୍ରାଟ୍ ଚୁପ୍ ବସିଛନ୍ତି !
ସୌମ୍ୟ ରଞ୍ଜନ ପରାମର୍ଶ ଦେଇ କହିଛନ୍ତି, ଏବେବି ସମୟ ଅଛି ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନକୁ ଅଗ୍ରାଧିକାର ଦେଇ ଏକ ଆଞ୍ଚଳିକ ଦଳ ଗଢ଼ିଥିବା ବନ୍ଧୁମାନେ ଓଡ଼ିଶାବାସୀଙ୍କୁ ଆଉ ଧୋକା ନ ଦିଅନ୍ତୁ। ମଣିଷ ମାତ୍ରେ ଭୁଲ୍ କରେ। ଭୁଲ୍କୁ ସ୍ବୀକାର କରି ଆଗେଇଯିବା ଉତ୍ତମ ଚରିତ୍ରର ଲକ୍ଷଣ ।