କଟକ: କଟକର ପୂର୍ବତନ ବିଜେଡି ନେତା ବିଶ୍ୱଜିତ ମହାନ୍ତିଙ୍କ କଂଗ୍ରେସରେ ଯୋଗଦାନ ପ୍ରସଙ୍ଗକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ଭାବ ଦେଖାଦେଇଛି। ଏହି ଘଟଣାରେ ବିଧାୟିକା ସୋଫିଆ କଡ଼ା ମନ୍ତବ୍ୟ ଦେଇ ପରୋକ୍ଷରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୋଫିଆ କହିଛନ୍ତି ଯେ, କଟକର ଜଣେ ନେତା କଂଗ୍ରେସରେ ଯୋଗଦେଇଥିବା କଥା ସମ୍ପର୍କରେ ତାଙ୍କୁ କୌଣସି ପ୍ରକାରେ ଅବଗତ କରାଯାଇନଥିଲା। ସେ କହିଛନ୍ତି, “ମୁଁ ସୋସିଆଲ୍ ମିଡିଆରୁ ଏହି ସୂଚନା ପାଇଲି। ଆମକୁ ପୂର୍ବରୁ ଅବଗତ କରାଯିବା ଉଚିତ୍ ଥିଲା।” ତାଙ୍କ ଏହି ବକ୍ତବ୍ୟକୁ ଦଳ ମଧ୍ୟରେ ଅସନ୍ତୋଷର ସଙ୍କେତ ଭାବେ ଦେଖାଯାଉଛି। ସୋଫିଆ ଆହୁରି କହିଛନ୍ତି ଯେ, ସମସ୍ତଙ୍କୁ ଏକାଠି ନେଇ କାମ କଲେ ମାତ୍ର କଂଗ୍ରେସ ଆଗକୁ ବଢ଼ିପାରିବ। ଦଳରେ ସମନ୍ୱୟ ଓ ସଂଯୋଗ ରହିଲେ ହିଁ ଦଳ ମଜବୁତ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ, ଶନିବାର କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ବିଶ୍ୱଜିତ ମହାନ୍ତି ନିଜ ସମର୍ଥକଙ୍କ ସହ କଂଗ୍ରେସରେ ସାମିଲ ହୋଇଥିଲେ। ଏହି ଅବସରରେ ସଭାପତି ଦାସ ମହାନ୍ତିଙ୍କୁ ସ୍ବାଗତ କରି କହିଥିଲେ ଯେ, ବିଶ୍ୱଜିତଙ୍କ ଯୋଗଦାନ ଦଳକୁ ଅଧିକ କ୍ରିୟାଶୀଳ ଓ ସଶକ୍ତ କରିବ। ଭକ୍ତ ଚରଣ ଦାସ କହିଥିଲେ, “ବିଶ୍ୱଜିତ ବାବୁଙ୍କ ପିତା ବାରିଷ୍ଟର ରଣଜିତ ମହାନ୍ତି ମୋର ଜଣେ ମାର୍ଗଦର୍ଶକ ଥିଲେ। କଟକ କଂଗ୍ରେସ ପାଇଁ ଐତିହାସିକ ଓ ବୈଚାରିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସହର।” ଏହି ଅବସରରେ ବିଶ୍ୱଜିତ ମହାନ୍ତି ପ୍ରଦେଶ କଂଗ୍ରେସ କମିଟି ଓ ପିସିସି ସଭାପତିଙ୍କୁ କୃତଜ୍ଞତା ଜ୍ଞାପନ କରି କହିଥିଲେ ଯେ, “କଂଗ୍ରେସକୁ ସଶକ୍ତ କରି କ୍ଷମତାସୀନ କରିବା ଓ ଭାଜପାକୁ ତଡ଼ିବା ଆମ ମୂଳ ଲକ୍ଷ୍ୟ।”