ନୂଆପଡ଼ା-: ସାମାନ୍ୟ ବଚସାରୁ ଜଣେ ପୁଅ ନିଜ ଜନ୍ମକଲା ବାପାକୁ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଛି । ପୁଅର ଠେଙ୍ଗାମାଡ଼ରେ ଚାଲିଯାଇଛି ଜନ୍ମଦାତା ବାପାଙ୍କ ଜୀବନ । ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବେଳଟୁକୁରି ଥାନା କୁରୁମୁଣ୍ଡା ଗାଁରେ । ମୃତକ ଜଣକ ୬୦ ବର୍ଷୀୟ ପବନ ସିଂ ବରିହା ଓ ଅଭିଯୁକ୍ତର ନାମ ତୁଲାରାମ ବାରିହା ଜଣାପଡିଛି ।
ସୂଚନାନୁଯାୟୀ, କୁରୁମୁଣ୍ଡା ଗାଁରେ ବାପା ପବନ ଓ ପୁଅ ତୁଲାରାମଙ୍କ ମଧ୍ୟରେ ଜମିବାଡିକୁ ନେଇ ବଚସା ହୋଇଥିଲା । ଏଥିରେ ନିଶାଶକ୍ତ ପୁଅ ତୁଲାରାମ ନିଜ ବାପା ପବନଙ୍କୁ କାଠ ଫାଳିଆରେ ଆକ୍ରମଣ କରି ହତ୍ୟା କରିଥିଲା । ଆଉ ଚାଷଜମିରେ ବାପା ମୃତଦେହକୁ ଛାଡ଼ି ଘରକୁ ଚାଲି ଆସିଥିଲା । ଆଜି ପୂର୍ବାହ୍ନରେ ବେଲଟୁକୁରି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ତେବେ ପ୍ରାଥମିକ ତଦନ୍ତରୁ ଜମିବାଡ଼ିକୁ ନେଇ ନିଜ ବାପଙ୍କୁ ପୁଅ ହତ୍ୟା କରିଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ଏନେଇ ଅଧିକ ଛାନଭିନ୍ ଚାଲିଥିବା ପୋଲିସ ସୂଚନା ଦେଇଛି ।