ଭୁବନେଶ୍ୱର: ରାତି ପାହିଲେ ଆରମ୍ଭ ହୋଇଯିବ ହୋଲି ପର୍ବ | ହୋଲିର ରଙ୍ଗରେ ଚାରିଆଡ଼େ ଉଡ଼ିବା ରଙ୍ଗ ଅବିର | ନାଲି, ସବୁଜ, ନୀଳ ଏବଂ ହଳଦିଆ ରଙ୍ଗରେ ରଙ୍ଗୀନ ହେବେ ପ୍ରତ୍ୟେକଟି ମଣିଷ | କାରଣ ହୋଲିର ଦ୍ୱିତୀୟ ଅର୍ଥ ହେଉଛି ରଙ୍ଗ | ତେବେ ରଙ୍ଗରେ ରଙ୍ଗିନ ହୋଲିରେ ପିଲାମାନଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ରାଗ ରୁଷା ଭୁଲି ହୋଲି ଖେଳିଥାନ୍ତି | ତେବେ ଦେହରୁ ରଙ୍ଗ ନ ଛାଡ଼ିବା ମୁଖ୍ୟ ହୋଲିରେ ମୁଖ୍ୟ ସମସ୍ୟା ଭାବେ ସାମ୍ନାକୁ ଆସିଥାଏ |

ଅନେକ ସମୟରେ ଲୋକମାନଙ୍କୁ ଶରୀରରେ ଲାଗିଥିବା ରଙ୍ଗରୁ ମୁକ୍ତି ପାଇବାରେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ | ଏପରି ପରିସ୍ଥିତିରେ, ହୋଲି ଖେଳିବା ପୂର୍ବରୁ ଲୋକମାନେ ଅନେକ ପଦ୍ଧତି ଗ୍ରହଣ କରନ୍ତି, ଯାହାଫଳରେ ରଙ୍ଗ ସେମାନଙ୍କ ଚର୍ମ କିମ୍ବା କେଶକୁ ନଷ୍ଟ କରିନଥାଏ |ତେଣୁ ଏଥର ରଙ୍ଗ ଖେଳିବା ପରେ, ଏହି ଘରୋଇ ଉପଚାରକୁ ବ୍ୟବହାର କରନ୍ତୁ। ଏଗୁଡିକ ବହୁତ ଉପଯୋଗୀ ହେବ । ତେବେ ହୋଲିର ରଙ୍ଗରେ ରଙ୍ଗୀନ ହେବା ପୂର୍ବରୁ ଆସନ୍ତୁ ଜାଣିବା କିପରି ଏହି ସବୁ ସମସ୍ୟାରୁ ଆପଣ ପାଇବେ ମୁକ୍ତି …

- ଦହି-ମହୁ ବ୍ୟବହାର କରନ୍ତୁ
ପ୍ରକୃତ ସମସ୍ୟା ହେଉଛି ରଙ୍ଗ ଖେଳିବା ପରେ ଶରୀରରୁ ଏହାକୁ ସଫା କରିବା ସମସ୍ୟା| ହୋଲି ଖେଳିବା ପରେ ରଙ୍ଗରେ ଥିବା କେମିକାଲ କାରଣରୁ ଚର୍ମ ଶୁଖିବା ଏବଂ ଫାଟିବା ଭଳି ସମସ୍ୟା ଦେଖା ଦେଇଥାଏ | ଏଥିପାଇଁ ହୋଲି ଖେଳିବାର ପରଦିନ ଅଧା କପ୍ ଦହି ନେଇ ସେଥିରେ ଦୁଇ ଚାମଚ ମହୁ ମିଶାନ୍ତୁ |ସେଥିରେ ଅଳ୍ପ ହଳଦି ପାଉଡର ମିଶାଇ ମୁହଁ, ବେକ ଏବଂ ହାତରେ ଲଗାନ୍ତୁ | ଏହାକୁ 20 ମିନିଟ୍ ପାଇଁ ମୁହଁରେ ଲଗାଇ ଛାଡି ଦିଅନ୍ତୁ ଏବଂ ପରେ ଏହାକୁ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ | ଏହା ଦ୍ୱାରା ଆପଣଙ୍କ ଚର୍ମ ସଫା ଏବଂ ନରମ ହୋଇଯିବ |

- କଦଳୀ ଏବଂ ଗୁଲାବ ଜଳର ବ୍ୟବହାର
ମୁହଁ ଏବଂ ଦେହରେ ଲାଗିଥିବା ରାୟାୟନିକ ରଙ୍ଗକୁ ଛଡାଇବା ପାଇଁ ଅନେକ ଉପାୟ ଅଛି। ସେଥିମଧ୍ୟରୁ ଗୋଟିଏ ହେଉଛି କଦଳୀ । ଏକ ପାଚିଲା କଦଳୀକୁ ଚକଟି ସେଥିରେ ଲେମ୍ବୁ ରସ ମିଶାନ୍ତୁ । ତା’ପରେ ଏହାକୁ ଚର୍ମରେ ଲଗାନ୍ତୁ ଏବଂ ଛାଡିଦିଅନ୍ତୁ । ଯେତେବେଳେ ଏହା ଶୁଖିବା ଆରମ୍ଭ କରିବ, ଏହାକୁ ଟିକେ ଗୋଲାପ ପାଣିରେ ଘଷନ୍ତୁ । ଏହା ଦ୍ବାରା ଚର୍ମରେ ଲାଗିଥିବା ହୋଲିର ରଙ୍ଗ ସହଜରେ ବାହାରକୁ ଆସିବ ଏବଂ ଚର୍ମରେ ଆର୍ଦ୍ରତା ବଜାୟ ରହିବ ।

- ରାଶି ତେଲର ବ୍ୟବହାର
ଶରୀରକୁ ରଙ୍ଗରୁ ଛଡ଼ାଇବା ପାଇଁ ରାଶି ତେଲ କିମ୍ୱା ଅନ୍ୟ ତେଲରେ ରଙ୍ଗ ଲାଗିଥିବା ସ୍ଥାନରେ ମାଲିସ୍ କରନ୍ତୁ | ଏହା ବିନା ସାବୁନ୍ ରେ ରଙ୍ଗକୁ ସହଜରେ ହଟାଇବାରେ ସାହାଯ୍ୟ କରିବ |ଏହା ଦ୍ୱାରା ଚର୍ମ ମଧ୍ୟ ସଫା ଏବଂ ନରମ ଅନୁଭବ ହେବ | ତେବେ ତେଲକୁ ଭଲ ଭାବେ ମାଲିସ୍ କରିବା ପରେ ଗାଧୋଇ ପଡ଼ନ୍ତୁ | ଏବଂ ଏହା ପରେ ମୁହଁ ଏବଂ ଶରୀରରେ ମଶ୍ଚରାଇଜର ଲଗାନ୍ତୁ |ଏହା ଦ୍ୱାରା ଆପଣଙ୍କୁ ରଙ୍ଗ ସମସ୍ୟାରୁ ମୁକ୍ତି ମିଳିବା ସହ ଶରୀରର ମଧ୍ୟ କିଛି କ୍ଷତି ହେବ ନାହିଁ |

- ବେସନ ଏବଂ ଅଟାର ବ୍ୟବହାର
ବେସନ ଏକ ପ୍ରାକୃତିକ ସ୍କ୍ରବ୍ । ହୋଲି ରଙ୍ଗ ଛଡାଇବା ପାଇଁ ବେସନରେ ଲେମ୍ବୁ ରସ ଭଲ ଭାବରେ ମିଶାନ୍ତୁ । ତା’ପରେ ଏହାକୁ ରଙ୍ଗ ଲଗିଥିବା ଅଞ୍ଚଳରେ ପ୍ରୟୋଗ କରି ଛାଡିଦିଅନ୍ତୁ । ଯେତେବେଳେ ଏହା ଶୁଖିବା ଆରମ୍ଭ କରିବ, ଏହାକୁ ହାଲୁକା ହାତରେ ଘଷିବା ଆରମ୍ଭ କରନ୍ତୁ । ଏହା ଦ୍ୱାରା ମଧ୍ୟ ଶରୀରରୁ ରଙ୍ଗ ଛାଡ଼ିବା ସହ ଚର୍ମର କୌଣସି କ୍ଷତି ହୋଇନଥାଏ । ଗହମ ଅଟାକୁ ମଧ୍ୟ ପ୍ରାକୃତିକ ସ୍କ୍ରବ୍ ଭାବରେ ବ୍ୟବହାର କରାଯାଇପାରେ । ଏହାକୁ କଞ୍ଚା କ୍ଷୀରରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ତା’ପରେ ଏହି ପେଷ୍ଟକୁ ଚର୍ମରେ ଲଗାନ୍ତୁ ଏବଂ କିଛି ସମୟ ଏହାକୁ ଛାଡିଦିଅନ୍ତୁ । କିଛି ସମୟ ପରେ ଏହାକୁ ହାଲୁକା ହାତରେ ମାଲିସ୍ କରିବା ପରେ ପାଣିରେ ଧୋଇ ଦିଅନ୍ତୁ । ଚର୍ମରେ ଲଗିଯାଇଥିବା ରଙ୍ଗକୁ ଏହା ସହଜରେ ଛଡାଇ ଦେଇଥାଏ। ତେଣୁ ଏହି ହୋଲିରେ ରଙ୍ଗ ଖେଳିବାକୁ ନ ଡରି ଭଲ ଭାବେ ରଙ୍ଗ ଖେଳନ୍ତୁ ଏବଂ ଏହି ଘରୋଇ ଉପଚାର ସାହାଯ୍ୟରେ ତ୍ୱଚାରୁ ରଙ୍ଗ ହଟାନ୍ତୁ ।