ଭୁବନେଶ୍ଵର: ବିଜେଡିରୁ ଶ୍ରୀମୟୀ ମିଶ୍ର ସସ୍ପେଣ୍ଡ୍ । ମହିଳା ଶାଖାର ସାଧାରଣ ସମ୍ପାଦିକା ଥିଲେ ଶ୍ରୀମୟୀ । ବିଜେଡି ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଏହା କୁହାଯାଇଛି। ବିଜେଡି ଉପସଭାପତି ପ୍ରତାପ ଜେନା ଏହା ସ୍ପଷ୍ଟ କରିଛନ୍ତି । ସୋସିଆଲ ମିଡିଆରେ ଟିପ୍ପଣୀକୁ ନେଇ ଚର୍ଚ୍ଚାରେ ଥିଲେ ଶ୍ରୀମୟୀ । ‘ଧୃତରାଷ୍ଟ୍ର’ ଓ ‘ଭଣ୍ଡ ସନ୍ନ୍ୟାସୀ’ ଆଦି ପ୍ରସଙ୍ଗ ଉଠାଇ କରିଥିଲେ ଟାର୍ଗେଟ୍ । ଅନ୍ୟପଟେ ଶ୍ରୀମୟୀ ମିଶ୍ରଙ୍କ ସମେତ ମୟୂରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ସଭାପତି ସୁବାଷ ଚନ୍ଦ୍ର ସାୟ ଓ ମୟୂରଭଂଜର ପୂର୍ବତନ ଜିଲ୍ଲା ସଂପାଦକ ପ୍ରବୀର ଚନ୍ଦ ସାଇଙ୍କୁ ନିଲମ୍ବନ କରିଛି ଦଳ ।
ସେପଟେ ବିଜେଡିରୁ ସସ୍ପେଣ୍ଡ ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମୟୀ । ଆତ୍ମସମ୍ମାନ ଓ ସ୍ବାଭିମାନ ସହ ସାଲିସ୍ କରି ନାହିଁ କି କରିବି ନାହିଁ ବୋଲି କହିଛନ୍ତି ଶ୍ରୀମୟୀ ମିଶ୍ର । ଏକ ବର୍ଷ ଧରି ଦଳରେ ନାହିଁ, ସଦସ୍ୟତା ନବୀକରଣ କରି ନାହିଁ । ସେ ଦଳ ମୋତେ ନିଲମ୍ବନ କରିବା, ଜଗତେ କେବଳ ଜନେ ହସିବେ । ଜଣେ ଅଣଓଡ଼ିଆଙ୍କ ପ୍ରରୋଚନାରେ ଓଡ଼ିଶାକୁ ଶାସନ କରୁଥିବା ନେତା ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା କେତେଦୂର ଠିକ୍ ସେଇଟା ଆପଣ ବିଚାର କରନ୍ତୁ । ମାଆକୁ ସମ୍ମାନର ଆହ୍ବାନ ଦେଉଥିବା ଜଣେ ଜନନାୟକଙ୍କର ଦାୟାଦ ଯେ ନିଜେ ନିଷ୍ପତ୍ତି ନେବାରେ ସକ୍ଷମ ନୁହଁ, ଆଜି ପ୍ରମାଣିତ କଲେ ବୋଲି କହିଛନ୍ତି ଶ୍ରୀମୟୀ ମିଶ୍ର ।