ନୂଆଦିଲ୍ଲୀ: ମୂଷା ପାଇଁ ଅଟକିଲା ଟ୍ରେନ୍ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବିହାରର ଦରଭଙ୍ଗାସ୍ଥିତ ଛପରା ରେଳ ଷ୍ଟେସନରୁ ଏପରି ଏକ ଆଶ୍ଚର୍ୟ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମୂଷା ପାଇଁ ଦରଭଙ୍ଗାରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଟ୍ରେନକୁ ଅଧାରୁ ଅଟକାଇବାକୁ ପଡ଼ିଥିଲା।
ସୂଚନାଯୋଗ୍ୟ, ୧୨୫୬୫ ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଟ୍ରେନରେ ବସି ଯାତ୍ରା କରୁଥିବା ବେଳେ ଏସ୪ ବଗିର ତଳୁ ଧୁଆଁ ବାହାରୁଥିବା କିଛି ଯାତ୍ରୀମାନେ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଟ୍ରେନର ଜରୁରୀକାଳିନ ଚେନକୁ ଟାଣି ଦେଇଥିଲେ। ଫଳରେ ଟ୍ରେନ ଅଟକି ଯାଇଥିଲା। ଟ୍ରେନ ଅଟକିବା କ୍ଷଣି ଯାତ୍ରୀମାନେ ଭୟଭୀତ ହୋଇ ତଳକୁ ଓହ୍ଲାଇ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ।
ଏହି ଘଟଣା ପରେ ଟ୍ରେନର ଲୋକୋପାଇଲଟ, ଗାର୍ଡ ଓ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ। ଯାଞ୍ଚରୁ ଜଣାପଡ଼ିଲା କି ବଗିରେ ମୂଷା ପଶି ଯାଇଥିଲା। ମୂଷା ବଗିର କିଛି ତାରକୁ କାଟି ଦେବାକୁ ସର୍ଟ ସର୍କିଟ ହୋଇଥିଲା। ଏହି କାରଣରୁ ବଗି ତଳୁ ଧୁଆଁ ବାହାରିଥିଲା। ତେବେ ସମ୍ପୂର୍ଣ୍ଣ ଭାବେ ଟ୍ରେନକୁ ଯାଞ୍ଚ କରିବା ପରେ ତ୍ରୁଟିର ସମାଧାନ କରିବା ପରେ ପୁଣି ଟ୍ରେନଟି ଯାତ୍ରା ଆରମ୍ଭ କରିଥିଲା। ତେବେ ଏହି ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ସୂଚନା ମିଳିଛି ।